Categories: ଜାତୀୟ

ରାଜ୍ୟସଭାରେ ସାମ୍ନାସାମ୍ନି ହେଲେ ଗୋଟିଏ ରାଜ୍ୟର ୨ ପ୍ରତିଦ୍ୱନ୍ଦୀ

ନୂଆଦିଲ୍ଲୀ,୨୨।୭: ରାଜ୍ୟସଭାରେ ୪୫ଜଣ ନବନିର୍ବାଚିତ ସଦସ୍ୟ ବୁଧବାର ଶପଥ ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ୩୬ଜଣ ଏଭଳି ଏମ୍‌ପି ଅଛନ୍ତି ଯେଉଁମାନେ ପ୍ରଥମ ଥର ରାଜ୍ୟସଭାରେ ପହଞ୍ଚିଛନ୍ତି। ନିକଟରେ ରାଜ୍ୟସଭା ନିର୍ବାଚନ ଓ ଉପନିର୍ବାଚନରେ ୨୦ଟି ରାଜ୍ୟରୁ ୬୧ଜଣ ସଦସ୍ୟ ଚୟନ ହୋଇଥିଲେ। ସେଥିରୁ ୪୫ଜଣ ବୁଧବାର ଶପଥ ଗ୍ରହଣ କରିଛନ୍ତି। ଏହି ୪୫ଜଣଙ୍କ ମଧ୍ୟରେ ଶରଦ ପାଓ୍ବାର, ଦିଗ୍‌ବିଜୟ ସିଂହ ଓ ରାମଦାସ ଅଠାଓ୍ବଲେ ସମେତ ୧୨ଜଣ ଏମ୍‌ପି ରହିଛନ୍ତି। ସେହିପରି କଂଗ୍ରେସ ଛାଡି ଭାଜପାର ହାତ ଧରିଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ରାଜସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ରାଜ୍ୟସଭାରେ କିଛି ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଯେଉଁଠି ଗୋଟିଏ ରାଜ୍ୟର ୨ଟି ପ୍ରତିଦ୍ୱନ୍ଦୀ ସାମ୍ନାସାମ୍ନି ହୋଇଥିଲେ। ଏହି ଦୃଶ୍ୟ ବେଶ୍‌ ରୋଚକ ଥିଲା। ଯେତେବେଳେ ସମସ୍ତ ଏମ୍‌ପି ଶପଥ ନେଉଥିଲେ ସେତେବେଳେ ଜ୍ୟୋତିରାଦିତ୍ୟ ଓ ଦିଗ୍‌ବିଜୟ ସିଂହ ସାମ୍ନାସାମ୍ନି ହୋଇଥିଲେ। ସେହି ସମୟରେ ଜ୍ୟୋତିରାଦିତ୍ୟ ଦିଗ୍‌ବିଜୟ ପରସ୍ପରଙ୍କୁ ହାତ ଯୋଡ଼ି ଅଭିବାଦନ ଜଣାଇଥିଲେ। ଏହି ସମୟରେ ସେଠାରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ମଧ୍ୟ ଉପସ୍ଥିତ ଥିଲେ। ଏହି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା ଏଥିପାଇଁ ଚର୍ଚ୍ଚିତ କାରଣ ଦୁଇ ନେତା ମଧ୍ୟପ୍ରଦେଶରୁ ଏବଂ ବିରୋଧୀ ଦଳର ପ୍ରତିନିଧି ଭାବେ ଚୟନ ହୋଇ ରାଜ୍ୟସଭାକୁ ଆସିଛନ୍ତି। ସୂଚନା ମୁତାବକ ଚଳିତ ବର୍ଷ ମାର୍ଚ୍ଚରେ କଂଗ୍ରେସର ହାତ ଛାଡ଼ି ଓ କମଳନାଥଙ୍କ ସରକାରଙ୍କୁ ଭାଙ୍ଗି ଜ୍ୟୋତିରାଦିତ୍ୟ ଭାଜପାରେ ଯୋଗଦେଇଥିଲେ।

Share