Categories: ଖେଳ

ସେମି ଫାଇନାଲରେ ଟିଆଫୋ, ଫ୍ରିଟ୍ଜ

ନ୍ୟୁୟର୍କ,୫ା୯(ପି.ଟି.): ବର୍ଷର ଅନ୍ତିମ ଗ୍ରାଣ୍ଡସ୍ଲାମ ୟୁଏସ୍‌ ଓପନର ସେମି ଫାଇନାଲରେ ପ୍ରବେଶ କରିଛନ୍ତି ଫ୍ରାନ୍ସିସ ଟିଆଫୋ, ଟେଲର ଫ୍ରିଟ୍ଜ ଓ ଆରିନା ସାବାଲେଙ୍କା। ମଙ୍ଗଳବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଟେଲର ଫ୍ରିଟ୍ଜ ୭-୬(୭/୨), ୩-୬, ୬-୪ ଓ ୭-୬(୭/୩) ସେଟରେ ଜର୍ମାନୀର ଆଲେକଜାଣ୍ଡାର ଜେଭରେଭଙ୍କୁ ପରାସ୍ତ କରିଥିଲେ। ଅନ୍ୟ ଏକ ମ୍ୟାଚ୍‌ରେ ଫ୍ରାନ୍ସିସ୍‌ ଟିଆଫୋ ଓ୍ବାକଓଭର ପାଇ ସେମିରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସ ବର୍ଗରେ ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ଆରିନା ସାବାଲେଙ୍କା ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା କ୍ୱିନଓ୍ବେନ ଝାଙ୍ଗଙ୍କୁ ପରାସ୍ତ କରିଥିଲେ।
ଦୀର୍ଘ ୧୮ ବର୍ଷ ପରେ ୟୁଏସ୍‌ ଓପନ ଫାଇନାଲରେ ଜଣେ ଆମେରିକୀୟ ନଜର ଆସିବେ। ଫ୍ରାନ୍ସିସ୍‌ ଟିଆଫୋ ଓ ଟେଲର ଫ୍ରିଟ୍ଜ ସେମି ଫାଇନାଲରେ ପରସ୍ପର ବିପକ୍ଷରେ ଖେଳିବାକୁ ଯାଉଥିବା ବେଳେ ଯିଏ ବି ବିଜୟୀ ହେଲେ ଜଣେ ଆମେରିକୀୟ ଫାଇନାଲରେ ପ୍ରବେଶ କରିବେ। ୨୦ ନମ୍ବର ସିଡ ଟିଆଫୋ ୬-୩, ୬-୭(୫/୮), ୬-୩ ଓ ୪-୧ରେ ଗ୍ରିଗୋର ଦିମିତ୍ରୋଭଙ୍କ ବିପକ୍ଷରେ ଆଗୁଆ ରହିଥିଲେ। ଦିମିତ୍ରୋଭ ଆହତ ହେବା କାରଣରୁ ଓହରି ଯିବା କାରଣରୁ ଟିଆଫୋଙ୍କୁ ଓ୍ବାକଓଭର ମିଳିଥିଲା।
ପୂର୍ବରୁ ପ୍ରଥମ ମ୍ୟାଚରେ ଟେଲର ଫ୍ରିଟ୍ଜ କଡା ସଂଘର୍ଷପୂର୍ଣ୍ଣ ମ୍ୟାଚରେ ବିଶ୍ୱ ମାନ୍ୟତାର ୪ ନମ୍ବର ସ୍ଥାନରେ ଥିବା ଆଲେକଜାଣ୍ଡାର ଜେଭରେଭ୍‌ଙ୍କୁ ପରାସ୍ତ କରିଥିଲେ। ୭-୬(୭/୨), ୩-୬, ୬-୪ ଓ ୭-୬(୭/୩) ସେଟରେ ଫ୍ରିଟ୍ଜ ବିଜୟୀ ହୋଇଥିଲେ। ପ୍ରଥମ ସେଟ ଓ ଅନ୍ତିମ ସେଟ୍‌ ଟାଇବ୍ରେକରକୁ ଯାଇଥିବା ବେଳେ ଫ୍ରିଟ୍ଜ ବିଜୟୀ ହୋଇଥିଲେ। ଅନ୍ୟ ପକ୍ଷରେ ସେମି ଫାଇନାଲରେ ଉଭୟ ଫ୍ରାନ୍ସିସ ଟିଆଫୋ ଓ ଟେଲର ଫ୍ରିଟ୍ଜ ପରସ୍ପର ମୁକାବିଲା କରିବେ। ଟେଲର କୌଣସି ଗ୍ରାଣ୍ଡସ୍ଲାମର ସେମି ଫାଇନାଲ ଖେଳି ନ ଥିଲେ ମଧ୍ୟ ଟିଆଫୋଙ୍କ ବିପକ୍ଷରେ ତାଙ୍କର ୬-୧ର ବିଜୟ ରେକର୍ଡ ରହିଛି।
ମହିଳା ସିଙ୍ଗଲ୍ସରେ ଖେଳା ଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଚାଇନାର କ୍ୱିନଓ୍ବେନ ଝାଙ୍ଗଙ୍କୁ ସିଧାସଳଖ ସେଟରେ ପରାସ୍ତ କରିଥିଲେ ଆରିନା ସାବାଲେଙ୍କା। ୬-୪, ୬-୨ରେ ସାବାଲେଙ୍କା ବିଜୟୀ ହୋଇଥିବା ବେଳେ ଏମ୍ମା ନାଭାରୋଙ୍କ ସହ ଖେଳିବେ।

Share