ଆବର୍ଜନା ଦୁର୍ଗନ୍ଧରେ ଅତିଷ୍ଠ ସହରବାସୀ

ବ୍ରହ୍ମପୁର,୨୭ା୧୧(ସ୍ମୃତି ରଞ୍ଜନ ମହାଲିକ): ବ୍ରହ୍ମପୁର ମହାନଗର ଚଳିତବର୍ଷ ନିଗମ ସ୍ବଚ୍ଛ ସର୍ବେକ୍ଷଣ ଦାୈଡରେ ସର୍ବାଧିକ ଜନମତ ସଂଗ୍ରହ କରିଛି। ସହରର ପରିମଳ ଦାୟିତ୍ୱ ବିଇଏମସିର ସାନିଟେସନ ବିଭାଗ ହାତରେ ରହିଛି। ମହାନଗରର ୪୨ ଓ୍ବାର୍ଡରେ ଘର ଘର ବୁଲି ଆବର୍ଜନା ସଂଗ୍ରହ ନିମନ୍ତେ ୫୬ଟି ବୁହା ଗାଡି ରହିଛି। ସଂଗୃହୀତ ଆବର୍ଜନାକୁ ନୂଆ ବସଷ୍ଟାଣ୍ଡ, ଧାନମେରା ସାହି, ଆମ୍ବ ମାର୍କେଟ ରୋଡ ଓ ଗୋସାଣିନୂଆଗାଁଠାରେ ଥିବା ଆବର୍ଜନା ପଏଣ୍ଟରେ ପକାଯାଉଛି। ସେଠାରେ ଓଦା ଏବଂ ଶୁଖିଲା ଆବର୍ଜନା ଅଲଗା କରି ଟ୍ରକରେ ମହୁଡା ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟକୁ ପଠାଯିବା ବ୍ୟବସ୍ଥା ରହିଛି। ସେହିପରି ରାସ୍ତା ସଫେଇ ନିମନ୍ତେ ନିଗମ ପକ୍ଷରୁ ସଫେଇ କର୍ମଚାରୀମାନେ ସକାଳ ୬ରୁ ୧୦ଟା ଓ ସନ୍ଧ୍ୟା ୬ରୁ ରାତ୍ରି ୧୦ଟା ଯାଏଁ ସହରକୁ ସଫା କରୁଛନ୍ତି। ସଂଗୃହୀତ ଆବର୍ଜନାକୁ ବିଇଏମସି ପକ୍ଷରୁ ହୋଇଥିବା ଭୂତଳ ଆବର୍ଜନା ସଂଗ୍ରହ ଡଷ୍ଟବିନରେ ପକାଯାଉଛି। କିନ୍ତୁ ଏହି ଡଷ୍ଟବିନ ଗୁଡିକରେ ଆବର୍ଜନା ପଡି ରହୁଥିବାରୁ ସହରବାସୀ ଦୁର୍ଗନ୍ଧରେ ଅତିଷ୍ଠ ହୋଇପଡୁଛନ୍ତି। ବିଇଏମ୍‌ସି ସାନିଟେସନ ବିଭାଗର ଦାୟିତ୍ୱ ହୀନତାରୁ ଏଭଳି ସମସ୍ୟା ଉପୁଜୁଥିବା ଅଭିଯୋଗ ହୋଇଛି।
ବିଇଏମସି ପକ୍ଷରୁ ୨୦୧୯ରେ ଭୂତଳ ଡଷ୍ଟବିନ ଯୋଜନା ହାତକୁ ନିଆଯାଇଥିଲା। ସହର ମଧ୍ୟରେ ଷ୍ଟେଶନ ସର୍କିଟ ହାଉସ ନିକଟସ୍ଥ, ବିଜିପୁର ଟ୍ୟାଙ୍କ ରୋଡ, ରାମଲିଙ୍ଗେଶ୍ୱର ଟ୍ୟାଙ୍କ ରୋଡ, ଗୋକର୍ଣ୍ଣେଶ୍ୱର ମନ୍ଦିର ନିକଟ, ଧାନମେରା ସାହି ଓ ପଞ୍ଚୁଦେଉଳ ସାହି ଭଳି ପ୍ରାୟ ୮୦ ସ୍ଥାନରେ ଭୂତଳ ଆବର୍ଜନା ସଂଗ୍ରହ ଡଷ୍ଟବିନ ସ୍ଥାପନ କରାଯାଇଥିଲା। ଏଥିନିମନ୍ତେ ଯୋଣ୍ଟା ନାମକ ଘରୋଇ ସଂସ୍ଥାକୁ ୪ ବର୍ଷ ପାଇଁ ଟେଣ୍ଡର ପ୍ରଦାନ କରାଯାଇଥିଲା। ଉକ୍ତ ସଂସ୍ଥା ଆବର୍ଜନାଗୁଡିକୁ ମହୁଡା ପ୍ରକଳ୍ପକୁ ପଠାଇବା ଦାୟିତ୍ୱ ନିର୍ବାହ କରୁଥିଲା। କିନ୍ତୁ ବର୍ତ୍ତମାନ ଉକ୍ତ ଘରୋଇ ସଂସ୍ଥାର ଟେଣ୍ଡର ସରିଯାଇଛି। ତେଣୁ ବିଭିନ୍ନ ସ୍ଥାନରେ କୁଢ କୁଢ ଆବର୍ଜନା ପଡି ରହିଛି। ବିଇଏମସି କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, ବର୍ତ୍ତମାନ ସହରରେ ୫ଟି ଜୋନରେ ରହିଥିବା ଆବର୍ଜନା ପଏଣ୍ଟରୁ ଆବର୍ଜନା ସଂଗ୍ରହ ପାଇଁ ନୂତନ ଟେଣ୍ଡର ହୋଇଛି। ପ୍ରତ୍ୟୁଷ, ସଫେଇ ମିତ୍ର ଓ ଏମଆରପି ନାମକ ଘରୋଇ ସଂସ୍ଥାକୁ ଟେଣ୍ଡର ପ୍ରଦାନ କରାଯାଇଛି। ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଲେ ଘରୋଇ ସଂସ୍ଥା ପକ୍ଷରୁ ସଫେଇ କାର୍ଯ୍ୟ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଏ ନେଇ ବିଇଏମସି ଡେପୁଟି କମିଶନରଙ୍କୁ ପଚାରିବାରୁ ସେ କାୈଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି। ଅନ୍ୟପଟେ ପରିମଳକୁ ସୁଧାରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସହରବାସୀ ଦାବି କରିଛନ୍ତି।