ସମୁଦ୍ରରେ ପ୍ଲାଷ୍ଟିକ ପ୍ରଦୂଷଣ ବୃଦ୍ଧି ଏବେ ସାମୁଦ୍ରିକ ଜୀବଙ୍କ ପାଇଁ ବିପଦ ହୋଇଛି। ତେବେ ବିଶାଳ ସମୁଦ୍ରରୁ ଏହି ବର୍ଜ୍ୟକୁ ଦୂର କରିବା ଏକ ଅସମ୍ଭବ ବ୍ୟାପାର ହୋଇଥିବାବେଳେ ଚେନ୍ନାଇର ସ୍କୁବା ଡାଇଭର ଅରବିନ୍ଦ ଥାରୁନଶ୍ରୀ ଓ ତାଙ୍କ ୯ ବର୍ଷୀୟା ଝିଅ ଥାରାଗାଇ ଆରାଥନାଙ୍କ କ୍ଷୁଦ୍ର ପ୍ରୟାସ ସମସ୍ତଙ୍କ ପାଇଁ ଏକ ପ୍ରେରଣା। ଅରବିନ୍ଦ ବୃତ୍ତିରେ ଜଣେ ସ୍କୁବା ଡାଇଭର ଇନ୍ଷ୍ଟ୍ରକ୍ଟର। ସେ ଦୀର୍ଘ ୨୦ ବର୍ଷ ହେଲା ଗଭୀର ପାଣିରୁ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ କରୁଛନ୍ତି। ଏବେ ସୁଦ୍ଧା ସେ ୩୦,୦୦୦ କେଜି ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ କରିସାରିଲେଣି। ସେ ଓ ତାଙ୍କ ଝିଅ ଥାରାଗାଇ ଏକାଠି ୧,୦୦୦ କେଜି ବର୍ଜ୍ୟ ସଂଗ୍ରହ କରିଛନ୍ତି। ଥାରାଗାଇ ୫ ବର୍ଷ ବେଳୁ ତାଙ୍କ ପିତାଙ୍କ ସହ ସ୍କୁବା ଡାଇଭିଂ ଆରମ୍ଭ କରିଥିଲେ। ଏବେ ବେଳାଭୂମି ସଫା କରିବା ଓ ବିଲୁପ୍ତପ୍ରାୟ ସାମୁଦ୍ରିକ ଜୀବଙ୍କ ଉପରେ ସଚେତନତା କାର୍ଯ୍ୟକ୍ରମ ବି କରୁଛନ୍ତି। ସେ ତାଙ୍କ ପିତାଙ୍କ ସହ ୧୮ କି.ମି. ପହଁରି ସାମୁଦ୍ରିକ ଜୀବଙ୍କ ସଂରକ୍ଷଣ ଉପରେ ସଚେତନତା ସୃଷ୍ଟି କରିବା ସହ ବିଶ୍ୱ ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ସେ ସ୍କୁବା ଡାଇଭିଂରେ ମାଷ୍ଟର ହେବା ସହ ସାମୁଦ୍ରିକ ଜୀବଙ୍କ ସୁରକ୍ଷା ଲାଗି ଆଜୀବନ କାର୍ଯ୍ୟ କରିବା ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି।