ଏଇ ଭାରତରେ

ସମସ୍ତେ ଜାଣନ୍ତି, ଶୋଇବା କିମ୍ବା ଆରାମ ଲାଗି ଖଟିଆ ବ୍ୟବହାର ହୁଏ। କିନ୍ତୁ ଖଟିଆକୁ ଏକ କାର୍‌ କରାଯାଇଥିବା କଥା ଶୁଣିଛନ୍ତି କି। ମଧ୍ୟପ୍ରଦେଶ ଅଶୋକନଗର ଜିଲାର ଯୁବକ ପଓ୍ବନ ଓଝା ଏମିତିକା ଏକ କାର୍‌ ନିର୍ମାଣ କରିଛନ୍ତି। ଏହାର ନାମ ରଖିଛନ୍ତି ଖଟିଆ କାର୍‌। ଏହି କାର୍‌ ଚଳାଇବା ପାଇଁ ପେଟ୍ରୋଲ କି ଡିଜେଲ ଦରକାର ହେଉନି। ଏହା କେବଳ ବିଦ୍ୟୁତ୍‌ ଏବଂ ସୌରଶକ୍ତିରେ ଚାଲୁଛି, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅଶୋକନଗର ଜିଲା ସେମାରକେଡି ଗ୍ରାମରେ ରୁହନ୍ତି ୨୧ ବର୍ଷୀୟ ପୱନ। ସେ ଏକ ଗାଡ଼ିର ଇଞ୍ଜିନ ଓ ଅନ୍ୟାନ୍ୟ ଜିନିଷ ସଂଗ୍ରହ କରି ସେସବୁକୁ ଖଟିଆରେ ଖଞ୍ଜି ଦେଢ଼ମାସ ମଧ୍ୟରେ ତାହାକୁ ଏକ କାର୍‌ରେ ପରିଣତ କରିଦେଲେ। ମାତ୍ର ୨୫ରୁ ୩୦ ହଜାର ଟଙ୍କାରେ ଏହି କାର୍‌ ନିର୍ମାଣ ହୋଇଛି। ସେଥିରେ ପ୍ରଥମେ ବ୍ୟାଟେରି ଚାର୍ଜିଂ ସିଷ୍ଟମ ଥିଲା, କିନ୍ତୁ ଏବେ ଖଟିଆ କାର୍‌ରେ ସୌରପ୍ଲେଟ୍‌ ଲଗାଇଛନ୍ତି। ପଓ୍ବନ କୁହନ୍ତି, ଖଟିଆ କାର୍‌ ୩ ଘଣ୍ଟା ଚାର୍ଜ କଲେ ୬୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ। ଏହି ଯାନର ଗତି ଘଣ୍ଟା ପ୍ରତି ୫୦ କିଲୋମିଟର। ପୱନଙ୍କ କହିବା ଅନୁଯାୟୀ, ୪ରୁ ପାଞ୍ଚଜଣ ଏହି ଖଟିଆ କାର୍‌ରେ ସହଜରେ ଯାତ୍ରା କରିପାରିବେ। ଏହା ବ୍ୟତୀତ ଏହି ଗାଡ଼ିର ୩ରୁ ୪ କୁଇଣ୍ଟାଲ ଓଜନ ବୋହିବାର କ୍ଷମତା ଅଛି। ଖଟିଆ କାର୍‌କୁ ଆକର୍ଷଣୀୟ କରିବା ପାଇଁ ଏହାକୁ ରଙ୍ଗିନ ଆଲୋକରେ ସଜାଯାଇଛି। ଏହାସହିତ ଏଥିରେ ମ୍ୟାଜିକ୍‌ ବ୍ୟବସ୍ଥା ମଧ୍ୟ ରହିଛି।