ଏଇ ଭାରତରେ

ଧର୍ମୀୟ ସଦଭାବନାର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି ରାଜସ୍ଥାନର ଯୋଧପୁରରେ। ୨୮ ସେପ୍ଟେମ୍ବରରେ ଅନନ୍ତ ଚତୁର୍ଦ୍ଦଶୀରେ ଗଣପତି ମେଢ଼ ବିସର୍ଜନ ଉତ୍ସବ ସମଗ୍ର ଦେଶରେ ପାଳନ କରାଯିବ। ସେହି ଦିନ ମୁସଲମାନ ସମ୍ପ୍ରଦାୟଙ୍କର ପର୍ବ ପୈଗମ୍ବର ମହମ୍ମଦଙ୍କ ଜନ୍ମ ଦିନ ମିଲାଦୁନ ନବୀ ପଡୁଛି। ଏହି କାରଣରୁ, ଶାନ୍ତି ଏବଂ ଭାଇଚାରାକୁ ଦୃଷ୍ଟିରେ ରଖି ମୁସଲମାନ ସମାଜ ୨୮ ସେପ୍ଟେମ୍ବର ପରିବର୍ତ୍ତେ ୨୯ ସେପ୍ଟମ୍ବରରେ ଶୋଭାଯାତ୍ରା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ଯୋଧପୁର ପୋଲିସ କମିଶନର ରବି ଦତ୍ତ ଗୌଡ ଏବଂ ଡିସିପି ଅମୃତା ଦୁହନଙ୍କ ଉପସ୍ଥିତିରେ ଧାର୍ମିକ ନେତାଙ୍କ ଏକ ବୈଠକ ପରେ ଏହି ନିଷ୍ପତ୍ତି ନିଆ ଯାଇଥିଲା। ଗୋଟିଏ ଦିନରେ ଗଣପତି ବିସର୍ଜନ ଏବଂ ମିଲାଦୁନ ନବୀ ପର୍ବ ଯୋଗୁ ଯୋଧପୁର ପୋଲିସ ଶାନ୍ତି କମିଟିର ଏକ ବୈଠକ ଆୟୋଜନ କରିଥିଲା। ଏଥିରେ ଉଭୟ ସମ୍ପ୍ରଦାୟର ଧାର୍ମିକ ନେତାମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଗଣପତି ବିସର୍ଜନ ଏବଂ ଶୋଭାଯାତ୍ରା ପାଇଁ କେବଳ ଗୋଟିଏ ରାସ୍ତା ଥିବାରୁ ଏଭଳି ପରିସ୍ଥିତିରେ ଆଇନ ଶୃଙ୍ଖଳା ବଜାୟ ରଖିବା ସବୁଠାରୁ ବଡ ପ୍ରଶ୍ନ ଥିଲା। ପାରସ୍ପରିକ ଆଲୋଚନା ପରେ ମୁସଲମାନ ସମ୍ପ୍ରଦାୟର ନେତାମାନେ ଧର୍ମୀୟ ସୌହାର୍ଦ୍ଦ୍ୟର ଭାବନା ପ୍ରଦର୍ଶନ କରି ମିଲାଦୁନ ନବୀ ଶୋଭାଯାତ୍ରା ଦିନକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହା ଦ୍ୱାରା ଉଭୟ ପର୍ବ ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରାଯାଇପାରିବ।