ଏଇ ଭାରତରେ

ସେବା ପାଇଁ ବୟସର କିଛି ବାଛବିଚାର ନ ଥାଏ। ତାହା ଦିଲ୍ଲୀର ହରଜିନ୍ଦର ସିଂ ପ୍ରମାଣିତ କରିଛନ୍ତି। ତାଙ୍କୁ ଏବେ ୮୦ ବର୍ଷ ବୟସ। ଜୀବନର ପରିଣତ ବୟସରେ ସେ ଫ୍ରି ଅଟୋ ଆମ୍ବୁଲାନ୍ସ ଚଳାଇ ଲୋକଙ୍କୁ ସେବା ଯୋଗାଉଛନ୍ତି। ତାଙ୍କ ଅଟୋରିକ୍ସାରେ ସର୍ବଦା ଫାଷ୍ଟ ଏଡ୍‌ କିଟ୍‌ ରହିଥାଏ। ଫାଷ୍ଟ ଏଡ୍‌ ପାଇଁ ସେ ତାଲିମ ନେଇଛନ୍ତି। ସେ ଏ ପର୍ଯ୍ୟନ୍ତ ଅନେକ ଜୀବନ ରକ୍ଷା କରିଛନ୍ତି। ସେ ୫ ଦଶନ୍ଧି ଧରି ଦିଲ୍ଲୀରେ ମାଗଣା ଏହି ସେବା ଯୋଗାଉଛନ୍ତି। ହରଜିନ୍ଦର ୧୯୬୪ରେ ଅଟୋରିକ୍ସା ଚଳାଇବା ଆରମ୍ଭ କରିଥିଲେ। ସେ ଅଟୋରିକ୍ସା ଚଲାଇବାରେ ଇତିମଧ୍ୟରେ ୫୫ ବର୍ଷରୁ ଅଧିକ ସମୟ ବିତିଗଲାଣି। ଟ୍ରାଫିକ୍‌ ଆଇନ ଅବମାନନା ପାଇଁ ତାଙ୍କ ନାମରେ କୌଣସି ଚାଲାଣ କଟିନାହିଁ । ତାଙ୍କ ଅଟୋ ପଛ ପାର୍ଶ୍ୱରେ ଏକ ବାର୍ତ୍ତା ଲେଖାଯାଇଛି ସଡ଼କ ଦୁର୍ଘଟଣାରେ ଆହତମାନଙ୍କ ପାଇଁ ମାଗଣା ଆମ୍ବୁଲାନ୍ସ ସେବା। ପ୍ରତିଦିନ ସକାଳ ୮ ଟାରେ ସେ ନିଜ କାମରେ ଚାଲିଯାଆନ୍ତି। ସେ ନିଜ ଅଟୋରେ ଏକ ଦାନବାକ୍ସ ମଧ୍ୟ ରଖିଛନ୍ତି। କିନ୍ତୁ ସେ ସେବା ପାଇଁ କାହାକୁ ଟଙ୍କା ମାଗନ୍ତି ନାହିଁ । ଯିଏ ଯାହା ଦେବାର ଥାଏ ସେମାନେ ଦାନ ବାକ୍ସରେ ପକାଇ ଦିଅନ୍ତି। ହରଜିନ୍ଦର ସେହି ଦାନ ଟଙ୍କାରେ ଔଷଧ କିଣନ୍ତି।