ଏଇ ଭାରତରେ

ହରିୟାଣାର ଦୌଡ଼ପରୀ ଜେଜେମା’ ଭାବରେ ଜଣାଶୁଣା ୧୦୬ ବର୍ଷୀୟା ରାମବାଈଙ୍କ ଦୌଡ଼ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଚରଖି ଦାଦ୍ରି ଗାଁ ନିବାସୀ ରାମବାଈ ବିଦେଶ ମାଟିରେ ଚାରିଟି ପଦକ ଜିତି ବିଶ୍ୱ ରେକର୍ଡ କରିଛନ୍ତି। ଗତବର୍ଷ ବେଙ୍ଗାଲୁରୁରେ ଅନୁଷ୍ଠିତ ଜାତୀୟ ପ୍ରତିଯୋଗିତାରେ ୧୦୦ ମିଟର ଦୌଡ଼କୁ ୪୫.୪୦ ସେକେଣ୍ଡରେ ପୂରଣ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲେ। ପରେ ରାମବାଈ ବିଦେଶ ମାଟିରେ ଖେଳି ଦେଶ ପାଇଁ ପଦକ ଜିତିବାର ସ୍ବପ୍ନ ଦେଖିଥିଲେ। ମାଲେସିଆରେ ୧୬ ଓ ୧୭ ସେପ୍ଟେମ୍ବରରେ ଅନୁଷ୍ଠିତ ବିଶ୍ୱ ମାଷ୍ଟର ଚାମ୍ପିୟନଶିପରେ ତାଙ୍କ ସ୍ବପ୍ନ ପୂରଣ ହୋଇଛି। ରାମବାଈ ୧୦୦, ୨୦୦ ମିଟର ଦୌଡ଼, ସଟ୍‌ପୁଟ ଏବଂ ଡିସ୍‌କସ୍‌ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୧୦୦ ମିଟର ଦୌଡ଼ରେ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ରାମବାଈଙ୍କୁ ଉତ୍ସାହିତ କରୁଥିବା ନାତୁଣୀ ଶର୍ମିଲା କହିଛନ୍ତି, ଜେଜେମା’ଙ୍କ ଉତ୍ସାହ ଦେଖି ସେ ତାଙ୍କୁ ଗାଁ ପଡ଼ିଆରେ ଅଭ୍ୟାସ କରାଇଥିଲେ। ସ୍ଥାନୀୟ ଖାଦ୍ୟ ଖାଇବା ଏବଂ ମାଟିରାସ୍ତାରେ ଦୌଡ଼ି ସେ ନିଜକୁ ପ୍ରସ୍ତୁତ କରିଥିଲେ। ସରକାରଙ୍କଠାରୁ ଆର୍ଥିକ ସହାୟତା ନ ପାଇବାରୁ ରାମବାଈଙ୍କ ମନରେ କଷ୍ଟ ହୋଇଛି। ଏହା ସତ୍ତ୍ୱେ ପଦକ ଜିତିବା ପାଇଁ ତାଙ୍କର ସଂକଳ୍ପ ଜାରି ରହିବ ବୋଲି ସେ କହିଛନ୍ତି। ତାଙ୍କର ଖେଳ ପ୍ରତି ଉତ୍ସାହ ବଢ଼ିବାରେ ଲାଗିଛି। ସେ କ୍ରମାଗତ ଭାବେ ଦେଶ ପାଇଁ ପଦକ ଜିତିବାକୁ ଚାହୁଁଛନ୍ତି।