ଏଇ ଭାରତରେ

ପିଲା କେବଳ ପଢିଲେ ଆଜିର ସମାଜରେ ସଶକ୍ତ ହେବେ ତାହା ନୁହେଁ, ବରଂ ସେମାନଙ୍କୁ ଅନ୍ୟ ସବୁ ବିଷୟରେ ପାରଙ୍ଗମ କରିବାର ଆବଶ୍ୟକତା ରହିଛି ବୋଲି ହୃଦୟଙ୍ଗମ କରିଛନ୍ତି ଉତ୍ତରାଖଣ୍ଡର କମଲେଶ ଅଟଓ୍ବାଲ। ଉତ୍ତରାଖଣ୍ଡରେ ଗ୍ରାମୀଣ ପିଲାମାନଙ୍କୁ ସେ ନିଆରା ପଦ୍ଧତିରେ ଶିକ୍ଷା ଦେଉଛନ୍ତି, ଯେଉଁଥିରେ ଛାତ୍ରୀଛାତ୍ରମାନେ ସମ୍ପୂର୍ଣ୍ଣ ଶିକ୍ଷା ପ୍ରାପ୍ତ ହେବା ସହ ଏକ ନିଆରା ଛାତ୍ର ନେତୃତ୍ୱଭିତ୍ତିକ ପରିବେଶ ସୃଷ୍ଟି କରିପାରୁଛନ୍ତି। ଛାତ୍ରମାନେ ଶିକ୍ଷାରୁ ବଞ୍ଚିତ ଅନ୍ୟ ଅଞ୍ଚଳର ଗ୍ରାମୀଣ ପିଲାଙ୍କୁ ପଢାଉଛନ୍ତି। କମଲେଶ ରହୁଛନ୍ତି ନାନକମତା ଗାଁରେ। ସେଠାରେ ନାନକମତା ପବ୍ଲିକ ସ୍କୁଲ(ଏନ୍‌ପିଏସ୍‌) ଖୋଲି ଏଭଳି ଶିକ୍ଷା ଦେଉଛନ୍ତି। ସେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ପିିଏଚଡି କରିଛନ୍ତି। ଶ୍ରେଣୀ ଶିକ୍ଷା ବ୍ୟତୀତ ପ୍ରତିଦିନ ୪ଟାରୁ ୬ଟା ଯାଏ ଖେଳ, ଫିଲ୍ମ, କଳା ଓ ଚିତ୍ର ମାଧ୍ୟମରେ ସେମାନଙ୍କୁ ଶିକ୍ଷା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏହିସବୁ କାର୍ଯ୍ୟକ୍ରମର ନେତୃତ୍ୱ ପିଲାମାନେ ହିଁ ନେଉଛନ୍ତି। ଫଳରେ ପାରମ୍ପରିକ ଶ୍ରେଣୀ ଶିକ୍ଷା ତୁଳନାରେ ସେମାନେ ଅଧିକ କିଛି ଶିକ୍ଷା କରୁଛନ୍ତି। ସ୍ଥାନୀୟ ସମାଜ ଉପରେ ଫିଲ୍ମ ନିର୍ମାଣ କରି ଲୋକମାନଙ୍କ ଚାଲିଚଳଣ ଓ କାର୍ଯ୍ୟକଳାପ ସମ୍ପର୍କରେ ଅଧିକ ଅବଗତ ହୋଇପାରୁଛନ୍ତି। ପିଲାମାନେ ସ୍କୁଲରେ ଏକ ଫିଲ୍ମ କ୍ଲବ୍‌ ଗଠନ କରିଛନ୍ତି। ପ୍ରତି ମାସରେ ଓ୍ବାଲ ମାଗାଜିନ ପ୍ରସ୍ତୁତ କରୁଛନ୍ତି। ଏପରିକି ସେମାନେ ଡିଜିଟାଲ ମାଗାଜିନ ପ୍ରକାଶ କରୁଛନ୍ତି। ପିଲାମାନେ ବିଭିନ୍ନ ଅଞ୍ଚଳରେ ୨୦ଟି କମ୍ୟୁନିଟି ସେଣ୍ଟର ଖୋଲି ଶିକ୍ଷାରୁ ବଞ୍ଚିତ ପିଲାମାନଙ୍କୁ ସ୍କୁଲକୁ ଆଣି ପଢାଉଛନ୍ତି। ଏବେ ଏନ୍‌ପିଏସ୍‌ରେ ୧୦୦୦ରୁ ଅଧିକ ପିଲା ପଢୁଛନ୍ତି। ମୁଖ୍ୟତଃ ନବମ ଓ ଦଶମ ପିଲାମାନେ ବିଭିନ୍ନ ପ୍ରୋଜେକ୍ଟରେ ଜଡ଼ିତ ରହୁଛନ୍ତି। ଏପରି କି ସ୍କୁଲରେ ପଢୁଥିବା ପିଲାମାନେ ସେମାନଙ୍କ ଅଞ୍ଚଳରେ ଲାଇବ୍ରେରି ଖୋଲି ତାହାର ପରିଚାଳନା କରୁଛନ୍ତି।