ଏଇ ଭାରତରେ

ଆଖୁ ଛେଦା ଓ ବର୍ଜ୍ୟ ପ୍ଲାଷ୍ଟିକ ବୋତଲରୁ ପ୍ରସ୍ତୁତ ଜୋତା ଏବେ ମିଳିଲାଣି। ଏମିତି ଜୋତା ତିଆରି କରୁଛନ୍ତି ଗୁଜରାଟର ଦୁଇ ଭାଇ ପାର୍ଥ ଓ କରିସ୍ମା ଦଲାଲ। ଏଭଳି ଜୋତା ଶୀଘ୍ର ମାଟିରେ ମିଶିଯାଉଛି। ଏକ ଅନୁଧ୍ୟାନରୁ ଜଣାପଡ଼ିଛି, ପୃଥିବୀରେ ପ୍ରତିବର୍ଷ ୩୫ କୋଟି ଜୋତା ବାହାରେ ପିଙ୍ଗିଦିଆଯାଉଛି, ଯାହା ମାଟିରେ ମିଶିବାକୁ ବହୁଦିନ ଲାଗିଯାଉଛି। ଏସବୁ ପାଣି ଓ ମାଟିକୁ ପ୍ରଦୂଷଣ କରୁଛି। ଏଣୁ ପାର୍ଥ ଓ କରିସ୍ମାଙ୍କ ଦ୍ୱାରା ପ୍ରସ୍ତୁତ ଜୋତା ଏହି ସମସ୍ୟାକୁ ଅନେକାଂଶରେ ଦୂର କରିପାରୁଛି। ସେମାନେ ଏଭଳି ଜୋତା ତିଆରି କରିବାକୁ ଚଳିତ ବର୍ଷ ମେ’ରେ ‘ରିରୁଟ’ ଷ୍ଟାର୍ଟଅପ୍‌ ଆରମ୍ଭ କରିଛନ୍ତି। ଏହି ପଦ୍ଧତିରେ କାର୍ବନ ନିର୍ଗମନ ବହୁତ କମ୍‌ ହେଉଛି। ହେଲେ ଏହାକୁ ୧୦୦% ନିର୍ଗମନ ଶୂନ୍ୟ କରିବା ସକାଶେ ଚେଷ୍ଟା କରୁଛନ୍ତି। ବେଙ୍ଗାଲୁରୁ ଓ ଦିଲ୍ଲୀରେ ଏହାର ବିକ୍ରି ଆରମ୍ଭ କରି ଏବେ ସୁଦ୍ଧା ୪୦୦ ହଳ ଜୋତା ସେମାନେ ବିକ୍ରି କରିସାରିଲେଣି। ଗୋଟିଏ ଜୋତାର ଓଜନ ରହୁଛି ୧୮୦ ଗ୍ରାମ। ଏଥିରୁ ୯୫ରୁ ୧୧୦ ଗ୍ରାମ ରହୁଛି ଆଖୁ ଛେଦାର ଅବଶେଷାଂଶ । ଗୋଟିଏ ଜୋତା ତିଆରି ଲାଗି ୧୧ଟି ପ୍ଲାଷ୍ଟିକ ବୋତଲ ଆବଶ୍ୟକ ହେଉଛି। ଏଭଳି ଜୋତା ତିଆରିରେ ସେମାନେ ୪୦,୦୦୦ ପ୍ଲାଷ୍ଟିକ୍‌ ବୋତଲ ବ୍ୟବହାର କରିସାରିଲେଣି।