ଏଇ ଭାରତରେ

ଶିକ୍ଷା ବ୍ୟବସ୍ଥାରେ ଯେତେ ଯୋଜନା କଲେ ମଧ୍ୟ ଡ୍ରପ୍‌ଆଉଟ୍‌ (ଅଧାରୁ ପାଠ ଛାଡ଼ିଦେବା) ସମସ୍ୟା ଦୂର ହୋଇପାରୁ ନାହିଁ। ପିଲାମାନେ ଅଧାରୁ ପାଠ ଛାଡ଼ିବା ଏବେ ଚିନ୍ତାର କାରଣ ହେଉଛି। ତେବେ ତେଲଙ୍ଗାନା ମଞ୍ଜରିଲର ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ନାଗୋରୀଙ୍କର ଏହି ସମସ୍ୟା ସମାଧାନ କରିବାର ପ୍ରୟାସ ବର୍ତ୍ତମାନ ଚର୍ଚ୍ଚରେ ରହିଥିବା ବେଳେ ସେ ବେଶ୍‌ ପ୍ରଶଂସା ସାଉଁଟୁଛନ୍ତି। ସେ ସ୍କୁଲକୁ ପିଲାମାନଙ୍କୁ ଆଣିବା ପାଇଁ ଗାଡ଼ି ବ୍ୟବସ୍ଥା କରିଛନ୍ତି। ପ୍ରାୟ ୫ କିଲୋମିଟର ଦୂରରୁ ଦୁର୍ଗମ ଅଞ୍ଚଳରୁ କଚ୍ଚା ରାସ୍ତାରେ ଗାଡ଼ି ଯୋଗେ ସେ ପିଲାମାନଙ୍କୁ ସ୍କୁଲକୁ ଆଣୁଛନ୍ତି। ଘରୁ ପିଲାମାନଙ୍କୁ ଆଣିବା ଦ୍ୱାରା ଏବେ ତାଙ୍କ ସ୍କୁଲର ଡ୍ରପ୍‌ଆଉଟ୍‌ ହାର ହ୍ରାସ ପାଇଛି। ସେ ପିଲାଙ୍କ ଶିକ୍ଷା ବ୍ୟବସ୍ଥା ପାଇଁ ସ୍କୁଲ ସମୟ ବାଦ୍‌ ଏକ୍ସଟ୍ରା କ୍ଲାସ୍‌ର ଆୟୋଜନ କରୁଛନ୍ତି। ଏହି ଏକ୍ସଟ୍ରା କ୍ଲାସ୍‌ ଓ ପରିବହନ ଖର୍ଚ୍ଚ ନାଗୋରୀ ନିଜ ଦରମାରୁ ଭରଣା କରୁଛନ୍ତି। ସେ ଏହି ସ୍କୁଲରେ ନିରବଚ୍ଛିନ୍ନ ଭାବେ ୨୦ ବର୍ଷ ହେଲା ଶିକ୍ଷାଦାନ କରୁଛନ୍ତି। ତାଙ୍କୁ ଏବେ ବୟସ ୪୩। ସେ ସ୍କୁଲରେ ଅନେକ ସଂସ୍କାରମୂଳକ ପରିବର୍ତ୍ତନ ଆଣିପାରିଛନ୍ତି। ୨୦୦୦ ମସିହାରେ ନାଗୋରୀ ସ୍କୁଲରେ ଯୋଗଦେବା ସମୟରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ଥିଲା ମାତ୍ର ୩୪। ତାଙ୍କ ଅବିଶ୍ରାନ୍ତ ପ୍ରଚେଷ୍ଟା ବଳରେ ଏବେ ଏହି ସଂଖ୍ୟା ୨୭୫ରେ ପହଞ୍ଚିଛି ଓ ଏମାନଙ୍କ ମଧ୍ୟରେ ଛାତ୍ରୀଙ୍କ ସଂଖ୍ୟା ରହିଛି ୧୦୩।