ଏଇ ଭାରତରେ

ବର୍ଜ୍ୟର ପୁନଃ ଉପଯୋଗ ଏବେ ପରିବେଶ ସୁରକ୍ଷାର ଏକ ପ୍ରମୁଖ ମାଧ୍ୟମ ପାଲଟିଛି। ଏ କ୍ଷେତ୍ରରେ ଭାରତରେ ଯେଉଁ କେତେଜଣ ପ୍ରୟାସ କରୁଛନ୍ତି, ସେମାନଙ୍କ ମଧ୍ୟରେ ମୁମ୍ବାଇର ମା’ପୁଅଙ୍କର ଏକ ଟିମ୍‌ ଅନ୍ୟତମ। ନାଓମି ଓ ୟୋହନା ପରେରା ଭଙ୍ଗା ଟାଇଲ ଓ ସମୁଦ୍ରରେ ଭାସି ଆସି ବେଳାଭୂମିରେ ପଡ଼ିଥିବା କାଠ ସଂଗ୍ରହ କରି ସେଥିରେ ଆକର୍ଷଣୀୟ ଫର୍ଣ୍ଣିଚର ତିଆରି କରୁଛନ୍ତି। ସେମାନେ ୨୦୧୮ରେ ଦି ଡ୍ରୁଇଡ ଗାର୍ଡେନ ସଂସ୍ଥା ଗଢ଼ି ତା’ ମାଧ୍ୟମରେ ଏହି କାର୍ଯ୍ୟ ଚଳାଇଛନ୍ତି। ଏଥିପାଇଁ ସେମାନେ ଏକ ଟିମ୍‌ ଗଢ଼ିଛନ୍ତି। ପ୍ରତି ମାସରେ ୟୋହନା ଓ ତାଙ୍କ ଟିମ୍‌ ଗୋରାଇ ମାଛଧରା ଗାଁ ନିକଟ ବେଳାଭୂମିକୁ ଯାଇ ସେଠାରୁ ବର୍ଜ୍ୟକାଠ ସଂଗ୍ରହ କରୁଛନ୍ତି। ଏହାସହ ମୁମ୍ବାଇର ବିଭିନ୍ନ ସ୍ଥାନରୁ ଭଙ୍ଗା ଟାଇଲ ସଂଗ୍ରହ କରୁଛନ୍ତି। ସଂଗୃହୀତ କାଠରେ ବହିଥାକ, ମିରର ଷ୍ଟାଣ୍ଡ୍‌,ସାଇଡ୍‌ ଟେବୁଲ, ଓ୍ବାଲ୍‌ ଆର୍ଟ, ବେଞ୍ଚ, ଚେୟାର, ଷ୍ଟୁଲ୍‌, ନେମ୍‌ ପ୍ଲେଟ, କ୍ୟାଣ୍ଡେଲ ହୋଲ୍‌ଡର ଏବଂ ସୁଇଂ ସେଟ୍‌ ଆଦି ତିଆରି କରୁଛନ୍ତି। ଏଗୁଡ଼ିକୁ ସେମାନେ ବିଭିନ୍ନ ହୋଟେଲ, ହସ୍ପିଟାଲ ଓ ସଂସ୍ଥାଗୁଡ଼ିକୁ ଯୋଗାଉଛନ୍ତି। ଭଙ୍ଗା ଟାଇଲ ଉପଯୋଗ କରି ସେଥିରେ ବିଭିନ୍ନ ମୋଜାଇକ ଆର୍ଟ କରାଯାଉଛି।