ଏଇ ଭାରତରେ

ସେବାର ତରିକା ଭିନ୍ନ ଭିନ୍ନ ହୋଇଥାଏ। କିଏ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇଥାନ୍ତି ତ ଆଉ କେହି ମାଗଣାରେ ହସ୍ପିଟାଲକୁ ନେଇଥାନ୍ତି। କିନ୍ତୁ ହସ୍ପିଟାଲ ବାହାରେ ଲୋକଙ୍କୁ ମାଗଣାରେ ଖାଦ୍ୟ ଦେଇ ସେବା ମନୋଭାବର ପରିଚୟ ଦେଉଛନ୍ତି ହାଇଦ୍ରାବାଦର ମହମ୍ମଦ ସୁଜାଥୁଲ୍ଲା। ଡି-ଫାର୍ମା ଶେଷ କରିଥିବା ମହମ୍ମଦ ହ୍ୟୁମାନିଟି ଫାଷ୍ଟ ଫାଉଣ୍ଡେଶନ ଗଠନ କରି ତା’ ମାଧ୍ୟମରେ ସରକାରୀ ହସ୍ପିଟାଲ ବାହାରେ ଭୋକିଲାଙ୍କୁ ମାଗଣାରେ ଖାଦ୍ୟ ଦେଉଛନ୍ତି। ମହମ୍ମଦଙ୍କୁ ୨୨ ବର୍ଷ ହୋଇଥିବାବେଳେ ୨୦୧୬ରେ ସେ ସାମଜ ସେବା ଆରମ୍ଭ କରିଥିଲେ। ସେ ସେହି ସମୟରେ ଜଣେ ଛାତ୍ର ଥିଲେ ଓ ତାଙ୍କ ପକେଟ ମନିକୁ ଗରିବଙ୍କୁ ଖାଦ୍ୟ ଦେବାରେ ଖର୍ଚ୍ଚ କରୁଥିଲେ। ସିକନ୍ଦରାବାଦ ରେଲଓ୍ବେ ଷ୍ଟେଶନରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ସେ ପ୍ରଥମେ ଖାଇବାକୁ ଦେଇଥିଲେ ଓ ସେହିଦିନଠାରୁ ତାଙ୍କ ସେବା କାର୍ଯ୍ୟ ଆରମ୍ଭ ହୋଇଥିଲା। ତା’ପରଠାରୁ ସେ ସରକାରୀ ହସ୍ପିଟାଲ ବାହାରେ ପ୍ରତିଦିନ ୧,୦୦୦ରୁ ଅଧିକ ଲୋକଙ୍କୁ ଜଳଖିଆ ଖାଇବାକୁ ଦେଇଆସୁଛନ୍ତି। ପ୍ରତିଦିନ ସକାଳ ୮ଟାରେ ଉପମା ଓ ଚଟଣି ପ୍ରସ୍ତୁତ କରି ସେମାନଙ୍କୁ ଦେଉଛନ୍ତି। ୨୦୧୬ରୁ ଏଯାବତ ସେ ୧୦ ମିଲିୟନ ଲୋକଙ୍କୁ ମାଗଣାରେ ଖାଦ୍ୟ ଦେଇସାରିଲେଣି।