ଏଇ ଭାରତରେ

ନିଜର ଦୁଃଖକଷ୍ଟ ଭୁଲି ଅସହାୟ ପିଲାଙ୍କ ମା’ ସାଜିଛନ୍ତି ଛତିଶଗଡ଼ର କିନ୍ନର ମନିଷା। ୮ଜଣ ପିଲାଙ୍କର ଯତ୍ନ ନେଉଛନ୍ତି। ମନିଷା ବିଭିନ୍ନ ଜାଗାରେ କାମକରି ଯାହା ରୋଜଗାର କରନ୍ତି, ସେଥିରେ ସେମାନଙ୍କର ଖର୍ଚ୍ଚ ତୁଲାଉଛନ୍ତି। ମନିଷାଙ୍କ ପିଲାଦିନ ବହୁ କଷ୍ଟରେ କଟିଥିଲା। ମାତ୍ର ୫ ବର୍ଷ ବୟସରେ ତାଙ୍କ ମାତାପିତାଙ୍କ ପରଲୋକ ହୋଇଥିଲା। ବହୁ ଘାତପ୍ରତିଘାତ ଦେଇ ସେ ବଡ଼ ହୋଇଥିଲେ। ସେତେବେଳୁ ଅନାଥ ପିଲାଙ୍କୁ ସହାୟ ହେବାର ଲକ୍ଷ୍ୟ ତାଙ୍କ ମନରେ ଉଙ୍କି ମାରିଥିଲା, ତାହାକୁ ଏବେ ସେ ଜାରି ରଖିଛନ୍ତି। ମନିଷାଙ୍କ ୮ଜଣ ପିଲାଙ୍କ ମଧ୍ୟରେ ସାନ ପିଲାଟିର ବୟସ ୭ ମାସ। ଏହି ପିଲାଟିର ମା’ ବାପାଙ୍କ ଦେହାନ୍ତ ପରେ ସାଂଘାତିକ ରୋଗରେ ପୀଡ଼ିତ ଥିଲା। ମନିଷା ତାଙ୍କୁ ମେଡିକାଲରେ ଚିକିତ୍ସା କରାଇବା ପରେ ଘରକୁ ଆଣିଥିଲେ। ପିଲାମାନଙ୍କୁ ଖାଇବା ପିଇବାକୁ ଦେଇ ପଢ଼ାଇବା ସହ ବହୁ ସମୟରେ ସେମାନଙ୍କ ଚିକିତ୍ସା ଲାଗି ଅର୍ଥ ଅଭାବ ଦେଖାଦିଏ। ତେବେ ଡାକ୍ତରମାନେ ତାଙ୍କୁ ସାହାଯ୍ୟ କରନ୍ତି। ଅନାଥ ପିଲାମାନଙ୍କୁ କେବେ କଷ୍ଟ ସହିବାକୁ ଦେବେ ନାହିଁ ଓ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଆଜୀବନ ସେବା ଜାରି ରଖିବାକୁ କହନ୍ତି ମନିଷା।