ପହଁରା (ସୁଇମିଂ) ଶିଖି ନ ଥିବା ପିଲାଙ୍କର ଏବେ ପାଣିରେ ବୁଡ଼ି ମୃତ୍ୟୁ ହେବା ଘଟଣା ଅଧିକ ସାମ୍ନାକୁ ଆସୁଛିି। ତେବେ ଏହାର ପ୍ରତିକାର ପାଇଁ ମାଗଣାରେ ପିଲାଙ୍କୁ ପହଁରା ଶିଖାଉଛନ୍ତି କେରଳର ୬୩ ବର୍ଷୀୟା ଜାନକୀ ଆମ୍ମା। ପିଲାମାନଙ୍କ ସହ ମହିଳାମାନେ ମଧ୍ୟ ତାଙ୍କଠାରୁ ପହଁରା ଶିଖୁଛନ୍ତି। ଆମ୍ମା ରହନ୍ତି କନ୍ନୁରର ଥାଟ୍ଟେକାଡେରେ। କେରଳରେ ହେଉଥିବା ନୌକା ଦୁର୍ଘଟଣାରେ ଅଧିକ ସଂଖ୍ୟକ ପିଲା ଓ ମହିଳାଙ୍କ ମୃତ୍ୟୁ ହେଉଥିବାରୁ ୧୧ ବର୍ଷ ପୂର୍ବେ ସେ ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ସେ ପ୍ରତିଦିନ ପାଖାପାଖି ୧୦୦ ଜଣଙ୍କୁ ସକାଳେ ଓ ଅପରାହ୍ନରେ ପହଁରା ଶିଖାଉଛନ୍ତି। ସୁଇମିଂ କ୍ଲାସ୍ ପୂର୍ବାହ୍ନ ୧୧ଟା ଓ ଅପରାହ୍ନ ୪ଟାରେ ଆରମ୍ଭ ହେଉଛି। ଏହି କାର୍ଯ୍ୟରେ ତାଙ୍କ ପରିବାରର ସହଯୋଗ ମିଳୁଛି। ଯେ ପର୍ଯ୍ୟନ୍ତ ସେ ସୁସ୍ଥ ରହିବେ ସେ ଯାଏ ସେ ସୁଇମିଂ ଶିଖାଇବେ ବୋଲି କହନ୍ତି ଆମ୍ମା।