ଏଇ ଭାରତରେ

ପରିବେଶ ସୁରକ୍ଷା ପାଇଁ ଜୀବିକାକୁ ପଛ କରି ଦେଇଛନ୍ତି ଉତ୍ତରାଖଣ୍ଡର ଚନ୍ଦନ ନୟଲ। ନଇଁଚାଳର ନୟିଗାଁ ନିବାସୀ ଚନ୍ଦନ ଚାକିରି ଛାଡି ଜଙ୍ଗଲ ସୃଷ୍ଟି କରିବା ସହ ତା’ର ସଂରକ୍ଷଣ କରୁଛନ୍ତି।୨୦୧୪ରେ ସେ ଇଲେକ୍‌ଟ୍ରୋନିକ୍ସରେ ଶିକ୍ଷା ଶେଷ କରି ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ। ୨୦୧୬ରେ ଚାକିରି ଛାଡ଼ି ସେ ଗଛ ଲଗାଇବା ଆରମ୍ଭ କରିଥିଲେ। ଏବେ ସୁଦ୍ଧା ସେ ୧୨ ହଜାର ଗଛ ଲଗାଇ ସାରିଲେଣି। ଚନ୍ଦନଙ୍କ ବୟସ ୨୬। ତାଙ୍କ ମା’ଙ୍କ ମୃତ୍ୟୁ ପରେ ସେ ଏଭଳି ଅଭିଯାନ ଆରମ୍ଭ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ପିଲାବେଳେ ସେ ଗଛ ଲଗାଇବାକୁ ଭଲ ପାଉଥିଲେ। ବାହାରେ ରହି ପଢିବା ସମୟରେ ବି ଛୁଟିରେ ଘରକୁ ଆସିଲେ ଗାଁ ପାଖ ଜଙ୍ଗଲ ସୁରକ୍ଷା ପାଇଁ ସମୟ ଦେଉଥିଲେ। ଗଛକୁ ତାଙ୍କର ଏମିତି ଭଲ ପାଇବା ତାଙ୍କୁ ଗଛ ମଣିଷ କରି ଦେଇଛି। ତାଙ୍କ ପାଖରେ ଚାରା କିଣିବା ପାଇଁ ଅର୍ଥର ଅଭାବ ଥିବା ହେତୁ ସେ ବନ ବିଭାଗର ସହଯୋଗ ଲୋଡୁଛନ୍ତି। ଚାରା ସେଠାରୁ ଆଣୁଛନ୍ତି ଓ ବନବିଭାଗର ନିର୍ଦ୍ଧାରିତ ଜମିରେ ଗଛ ଲଗାଉଛନ୍ତି। ଚାରା ପରିବହନ ଖର୍ଚ୍ଚ ବି ବନ ବିଭାଗ ବହନ କରୁଛି। ଚନ୍ଦନଙ୍କ ନିଷ୍ଠା ଦେଖି ଏଭଳି ସହଯୋଗ କରାଯାଉଛି ବୋଲି କହନ୍ତି ସେଠାକାର ଡିଏଫଓ। ଚନ୍ଦନଙ୍କୁ ସେମାନେ ୧୦ହଜାର ଗଛ ଯୋଗାଇ ଦେଇଛନ୍ତି। ତାଙ୍କର ଏଭଳି କାର୍ଯ୍ୟରେ ଆଖପାଖ ଗାଁର ଲୋକମାନେ ମଧ୍ୟ ଅନୁପ୍ରାଣିତ ହୋଇ ଗଛ ଲଗାଇବାରେ ଲାଗିଗଲେଣି। ୧୨୦ ଜଣ ସ୍ବେଚ୍ଛାସେବୀ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି।ସେମାନେ ଚନ୍ଦନଙ୍କ ନେତୃତ୍ୱରେ ୧୨ ହଜାର ଗଛ ଲଗାଇବା ସହ ଉତ୍ତରାଖଣ୍ଡର ବିଭିନ୍ନ ଗାଁରେ ୩୦ ହଜାର ଚାରା ବାଣ୍ଟି ସାରିଛନ୍ତି।ସରକାର ଚନ୍ଦନଙ୍କୁ ପୁରସ୍କୃତ ମଧ୍ୟ କରିଛନ୍ତି।