ଏଇ ଭାରତରେ

ଜୀବନ ପ୍ରତି ଥିବା ବିପଦକୁ ସାମ୍ନା କରିଥିବା ଇସ୍ରାଏଲ ଜନ୍ମିିତ ଜଣେ ମହିଳା ଭାରତରେ ଅସହାୟ ଶିଶୁମାନଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି। ସେ ହେଉଛନ୍ତି ଡା. ମିଶେଲି ହାରିଶନ। ପେସାରେ ସେ ଜଣେ ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ। ଗାଜାକୁ ନେଇ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଲାଗି ରହିଥିବା ସଂଘର୍ଷକୁ ସେ ନିକଟରୁ ଦେଖିଛନ୍ତି। ସେଥିରେ ବେଘର ତଥା ଅନାଥ ହେଉଥିବା ଶିଶୁଙ୍କ ଯନ୍ତ୍ରଣାକୁ ମଧ୍ୟ ଅନୁଭବ କରିଛନ୍ତି। ସେଥିପାଇଁ ସେ ଇସ୍ରାଏଲ ଛାଡ଼ି ଭାରତକୁ ଆସି କୋଲକାତାରେ ରହି ଅସହାୟ କିମ୍ବା ଅନାଥ ଝିଅମାନଙ୍କ ସାହାରା ପାଲଟି ଯାଇଛନ୍ତି। ମିଶେଲିଙ୍କର ଝିଅଟିଏ ଥିଲେ ବି ସେ ଏହି ଝିଅମାନଙ୍କୁ ପୋଷ୍ୟଭାବେ ଗ୍ରହଣ କରିଛନ୍ତି। କୋଲକାତାରେ ସେ ୨୦୦୬ରେ ‘ଶିଶୁର ସେବୟ’ ଅନାଥାଶ୍ରମ ଗଠନ କରି ଏହି ସେବା ଜାରି ରଖିଛନ୍ତି। ସେଠାରେ ଏବେ ୧୪ ଜଣ ଅନାଥ ଝିଅଙ୍କୁ ରଖିଛନ୍ତି। ସେମାନଙ୍କୁ ସ୍କୁଲରେ ପଢାଉଛନ୍ତି। କଳା ଓ ଯୋଗ ଶିକ୍ଷା ଦେବାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଏବେ ସୁଦ୍ଧା ତାଙ୍କ ଆଶ୍ରମରୁ ୨୦ ଜଣ ଝିଅ ଶିକ୍ଷା ପାଇ ସ୍ବାବଲମ୍ବୀ ହୋଇସାରିଲେଣି।