ଏଇ ଭାରତରେ

ଫିଲ୍ମରେ ଦେଖିବାକୁ ମିଳିଥାଏ କୁକୁର କିପରି ତା’ର ମାଲିକକୁ ଅପେକ୍ଷା କରି ବସିଥାଏ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେରଳର କୋଝିକୋଡେରେ। ଯେଉଁଠାରେ କୁକୁର ମାଲିକଙ୍କ ମୃତ୍ୟୁ ପରେ ବି ଶବାଗାର ବାହାରେ ଅପେକ୍ଷା କରି ବସିଛି। ବୋଧହୁଏ ସେ ଜାଣିନି ତା’ ମାଲିକ ଆଉ ଏହି ଦୁନିଆରେ ନାହାନ୍ତି। କିନ୍ତୁ କାଳେ ମାଲିକ ଶବାଗାରରୁ ଆସିବେ ସେଥିପାଇଁ କୁକୁର ଅପେକ୍ଷା କରି ବସି ରହିଛି। ଏହି କୁକୁର ବିଷୟରେ ସୋସିଆଲ ମିଡିଆରେ ୟୁଜରମାନେ ଅନେକ ପ୍ରତିକ୍ରିୟା ଦେଇଛନ୍ତି। କେହି କେହି ଏହାକୁ ମଣିଷର ସାଥୀ ବୋଲି କହୁଥିବା ବେଳେ ଅନ୍ୟମାନେ ଏହାକୁ ପ୍ରକୃତ ବିଶ୍ୱସ୍ତତା ବୋଲି କହୁଛନ୍ତି । ଚାରିମାସ ଧରି କେରଳର କନ୍ନୁର ଜିଲା ଡାକ୍ତରଖାନାର ଶବାଗାର ବାହାରେ ଏକ କୁକୁର ଅପେକ୍ଷା କରିଛି। ଡାକ୍ତରଖାନା ଅଧିକାରୀମାନେ କୁକୁରର ମାଲିକଙ୍କୁ ଚିହ୍ନଟ କରିବାରେ ଅସମର୍ଥ ହୋଇଛନ୍ତି। ହସ୍ପିଟାଲ କର୍ମଚାରୀ ରାଜେଶ କୁମାର କହିଛନ୍ତି, ପ୍ରଥମ ଦିନରେ ଆମେ କୁକୁର ପ୍ରତି ଧ୍ୟାନ ଦେଇ ନ ଥିଲୁ। କିନ୍ତୁ ପରଦିନ ସେ ସେଠାରେ ଜଗି ବସିଥିଲା। ଯେତେବେଳେ ଆମେ ସ୍ଥାନୀୟ ଲୋକଙ୍କୁ ଏ ବିଷୟରେ ପଚାରିଲୁ, ସେମାନେ କହିଥିଲେ, ଏହି କୁକୁରଟି ଜଣେ ରୋଗୀଙ୍କ ସହିତ ଡାକ୍ତରଖାନାକୁ ଆସିଥିଲା । ହେଲେ ତାଙ୍କର ମୃତ୍ୟୁ ଘଟିଛି। କୁକୁରଟିକୁ ମୃତଦେହ ନିଆଯାଉଥିବା ରାମ୍ପରେ ବସିଥିବାର ଦେଖିବାକୁ ମିଳୁଛି। କୁକୁରଟି ନିକଟସ୍ଥ ଫିଜିଓଥେରାପି ବିଭାଗ ବିଲ୍ଡିଂକୁ ଯାଉଛି ରାତିରେ ଶବାଗାରକୁ ଫେରିଆସୁଛି। କୁକୁରକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ କନ୍ନୁରରୁ ଜଣେ ମହିଳା ଇଚ୍ଛା ପ୍ରକାଶ କରିଛନ୍ତି।