ଏଇ ଭାରତରେ

ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ଭାରତରେ ସାପ କାମୁଡ଼ାରେ ପ୍ରତିବର୍ଷ ୬୪,୦୦୦ ଲୋକଙ୍କ ମୃତ୍ୟୁ ହେଉଛି ଓ ଏହା ବେଶି ଗ୍ରାମାଞ୍ଚଳରେ ଘଟୁଛି। ତେବେ ସାପକାମୁଡ଼ାଜନିତ ମୃତ୍ୟୁ ରୋକିବା ଲାଗି ମହାରାଷ୍ଟ୍ରର ଦମ୍ପତି ଯେଉଁ ପଦକ୍ଷେପ ନେଉଛନ୍ତି ତାହା ବାସ୍ତବରେ ପ୍ରଶଂସନୀୟ। ଡ. ସଦାନନ୍ଦ ଓ ତାଙ୍କ ସ୍ତ୍ରୀ ପଲ୍ଲବୀ ରାଉତ ସାପ କାମୁଡ଼ିଥିବା ଲୋକମାନଙ୍କୁ ଠିକ୍‌ ସମୟରେ ଚିକିତ୍ସା ଯୋଗାଇ ଜୀବନ ରକ୍ଷା କରୁଛନ୍ତି। ଏବେସୁଦ୍ଧା ସେମାନେ ୬,୦୦୦ ଲୋକଙ୍କୁ ଜୀବନ ବଞ୍ଚାଇ ସାରିଲେଣି। ସଦାନନ୍ଦ ମେଡିସିନ୍‌ରେ ଡିଗ୍ରୀ ହାସଲ କରିଛନ୍ତି। ନାରାୟଣଗାଁର ସେ ୧୯୯୨ରେ କ୍ଲିନିକ ଖୋଲି ଲୋକଙ୍କ ଚିକିତ୍ସା କରୁଥିଲେ ।
ପରେ ସେଠାରେ ୧୯୯୫ରୁ ମାଗଣାରେ ବିଷଧର ସାପ କାମୁଡ଼ାର ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରୁଛନ୍ତି। ଏହି କାର୍ଯ୍ୟରେ ତାଙ୍କ ସ୍ତ୍ରୀ ପଲ୍ଲବୀ ସମ୍ପୂର୍ଣ୍ଣ ସହଯୋଗ କରିଆସୁଛନ୍ତି। ଏହାବ୍ୟତୀତ ଏହି ଦମ୍ପତି ସାପକାମୁଡ଼ା ସମ୍ପର୍କରେ ବିଭିନ୍ନ ଗାଁ, ସ୍କୁଲ ଓ କଲେଜରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ସେମାନେ ଏଯାବତ୍‌ ୧୦,୦୦୦ ଛାତ୍ରୀଛାତ୍ର ଓ ୨୦୦୦ ଶିକ୍ଷକଙ୍କୁ ଏ ସମ୍ପର୍କରେ ସଚେତନ କରିବା ସହ ସାପକାମୁଡ଼ାର ପ୍ରାରମ୍ଭିକ ଚିକିତ୍ସା ଉପରେ ପ୍ରଶିକ୍ଷଣ ଦେଇସାରିଲେଣି।