ଏଇ ଭାରତରେ

ଜୀବାଶ୍ମ ଇନ୍ଧନଚାଳିତ ଦୁଇଚକିଆ ଯାନ ଏବେ ପ୍ରଦୂଷଣର ଏକ ମୁଖ୍ୟ ଉତ୍ସ ହୋଇଛି। ବୈଦ୍ୟୁତିକ ଯାନ ଚଳାଚଳ ବ୍ୟାପକ କରାଯାଇ ଏହାକୁ ଅନେକାଂଶରେ ରୋକାଯାଇପାରିବ ବୋଲି କୁହାଯାଉଛି ଓ ଏଥିପାଇଁ ବିଭିନ୍ନ କମ୍ପାନୀ ବଜାରକୁ ବୈଦ୍ୟୁତିକ ଯାନ ଛାଡ଼ିଲେଣି। ହେଲେ ବେଙ୍ଗାଲୁରୁର ଆଶିଷ ଡୋକାନିଆ ପ୍ରଦୂଷଣ ରୋକିବା ଲାଗି ଜୀବାଶ୍ମ ଇନ୍ଧନଚାଳିତ ଦୁଇଚକିଆ ଯାନକୁ ହାଇବ୍ରିଡ୍‌ ଇଲେକ୍ଟ୍ରିକ ଯାନରେ ପରିଣତ କରୁଛନ୍ତି। ସେ ୨୦୨୦ରେ ଗ୍ରୀନ୍‌ ଟାଇଗର ମୋବିଲିଟି କମ୍ପାନୀ ଆରମ୍ଭ କରି ଏହି କାର୍ଯ୍ୟ କରୁଛନ୍ତି। ଏବେ ସୁଦ୍ଧା କମ୍ପାନୀ ୫୦ଟି ପେଟ୍ରୋଲ ଚାଳିତଯାନକୁ ବୈଦ୍ୟୁତିକ ଯାନ କରିସାରିଲାଣି। ବ୍ୟାଟେରି, କନ୍‌ଭର୍ସନ ଓ ଚାର୍ଜରକୁ ନେଇ ବୈଦ୍ୟୁତିକ ଯାନ କରିବାରେ ମୋଟ ୫୫ ହଜାର ଟଙ୍କା ଖର୍ଚ୍ଚ ହେଉଛି। ଯେଉଁଥିରେ ସ୍ମାର୍ଟ ସିଷ୍ଟମ ରହୁଛି ତାହାର ଦାମ୍‌ ଆଉ ୫,୦୦୦ ଟଙ୍କା ଅଧିତ୍କ । ଆଶିଷ ଏମ୍‌ବିଏ ଡିଗ୍ରୀ ହାସଲ କରିବା ପରେ ଗ୍ରୀନ୍‌ ସେକ୍ଟରରେ ୧୫ ବର୍ଷ କାମ କରିଛନ୍ତି। ବେଙ୍ଗାଲୁରୁ ବ୍ୟତୀତ କମ୍ପାନୀ ଅନ୍ୟ ସହରଗୁଡ଼ିକରେ ତାହାର କାର୍ଯ୍ୟ ଆରମ୍ଭ କରିବ ବୋଲି କହନ୍ତି ଆଶିଷ।