ଏଇ ଭାରତରେ

କୁହାଯାଏ ଅନ୍ନଦାନ ମହାପୁଣ୍ୟ। ସେଥିପାଇଁ କେରଳର ସୁରେଶ କୁମାର ଭୋକିଲା ଲୋକଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ବର୍ଷେ କି ଦୁଇ ବର୍ଷ ନୁହେଁ ସେ ଏମିତି ୧୨ ବର୍ଷ ହେବ ଖାଇବାକୁ ଦେଉଛନ୍ତି। କନ୍ନୁର ଜିଲା ବାସିନ୍ଦା ସୁରେଶ ଏବେସୁଦ୍ଧା ୪ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଖାଇବାକୁ ଦେଇସାରିଲେଣିି। ଏହି ସେବା ଲାଗି ଲୋକମାନେ ବି ତାଙ୍କୁ ଆର୍ଥିକ ସାହାଯ୍ୟ କରୁଛନ୍ତି। ସୁରେଶ ବେକରି ଓ ବିଭିନ୍ନ ଦୋକାନରେ କାମ କରି ଯାହା ରୋଜଗାର କରନ୍ତି ତାହାକୁ ଏଥିରେ ଖର୍ଚ୍ଚ କରିଥାନ୍ତି। ସେ ବସଷ୍ଟାଣ୍ଡଗୁଡ଼ିକରେ ଏହି କାର୍ଯ୍ୟ ସମ୍ପର୍କିତ ବିବରଣୀକୁ ଛପାଇ ଲୋକମାନଙ୍କୁ ଦେଉଛନ୍ତି ଓ ସାହାଯ୍ୟ ଲୋଡୁଛନ୍ତି। ଏହା ଲାଗି ଦେଶର ବିଭିନ୍ନ ସ୍ଥାନରୁ ବି ତାଙ୍କ ପାଖକୁ ଲୋକମାନେ ଟଙ୍କା ପଠାଉଛନ୍ତି। ସ୍ଥାନୀୟ ଅଞ୍ଚଳରେ ଯେଉଁମାନେ ଖାଦ୍ୟ ଦେବା ଲାଗି ଇଚ୍ଛୁକ ସେମାନେ କନ୍ନୁର ବ୍ଲକ୍‌ ଅଫିସ ନିକଟରେ ରନ୍ଧାଖାଦ୍ୟ ପହଞ୍ଚାଇବାକୁ ସେ ଅନୁରୋଧ କରିଥାନ୍ତି। ଘରେ ଯଦି ଅଧିକ ଖାଦ୍ୟ ରହିଥାଏ, ତେବେ ତାହାକୁ ଦିନ ୧ଟାରୁ ୨ଟା ମଧ୍ୟରେ ଏହି ଅଫିସ ନିକଟରେ ପହଞ୍ଚାଇବା ଲାଗି ଅନୁରୋଧ କରିଥାନ୍ତି ସୁରେଶ। ଉଭୟ ଆମୀଷ ଓ ନିରାମିଷ ଖାଦ୍ୟ ଲୋକମାନଙ୍କୁ ଦିଆଯାଇଥାଏ। ୧୨ ବର୍ଷ ତଳେ ପ୍ରଥମ ଦିନରେ ସେ ୨୫ଟି ମିଲ୍‌ ପାଇଥିଲେ ଓ ତାହାକୁ ୨୫ ଜଣଙ୍କୁ ଖାଇବାକୁ ଦେଇଥିଲେ। ତା’ପରଦିନଠାରୁ ଲୋକମାନେ ବେଶି ବେଶି ଖାଦ୍ୟ ଯୋଗାଇଦେବାରେ ଲାଗିଲେ। ଏମିତି କି ଗୋଟିଏ ଗୋଟିଏ ଦିନରେ ସେ ୨୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଖାଇବାକୁ ଦେଇପାରିଛନ୍ତି। ଏହି ସେବା ଆରମ୍ଭ ହେବା ଦିନଠାରୁ ଏଯାବତ୍‌ ଗୋଟିଏ ଦିନ ବି ବନ୍ଦ ହୋଇନାହିଁ।