ଏଇ ଭାରତରେ

ଜଳ ସଙ୍କଟ ଏବେ ଚିନ୍ତାର କାରଣ ହେଉଛି। ଏହା ଦୂର କରିବା ଲାଗି ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ଉଜ୍ଜୟିନୀ ସହର ତଳି ଅଞ୍ଚଳରେ ଥିବା ଯମ ତାଲାୟା ପୁଷ୍କରିଣୀକୁ ପୁନରୁଦ୍ଧାର କରି ସେଠାକାର ଜଳ ସଙ୍କଟ ଦୂର କରିପାରିଛନ୍ତି, ଯାହାଫଳରେ ସେହି ଅଞ୍ଚଳର କୃଷକମାନେ ଉପକୃତ ହେଉଛନ୍ତି। ଏହି ପୁଷ୍କରିଣୀଟି ପୋତି ହୋଇଯାଇଥିବାରୁ ଏହାର ଜଳଧାରଣ କ୍ଷମତା କମିଯାଇଥିଲା। ୨୦୧୬ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଅନଶୁଲ ୨୦୨୧ରେ କମିଶନର ଭାବେ ଯୋଗଦେବା ପରେ ୧୨୫ ଜଣ ସ୍ବେଚ୍ଛାସେବୀଙ୍କୁ ନେଇ ଏହି କାର୍ଯ୍ୟ ସମ୍ପାଦନ କରିଛନ୍ତି। ବଡ଼ କଥା ହେଉଛି, କୌଣସି ସରକାରୀ ପାଣ୍ଠି ଏଥିରେ ବିନିଯୋଗ କରାଯାଇନାହିଁ। ପୁଷ୍କରିଣୀ ପୁନରୁଦ୍ଧାରରେ ଖର୍ଚ୍ଚ ହୋଇଥିବା ମୋଟ ୬୦ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କା ସିଏସ୍‌ଆର(କର୍ପୋରେଟ ସୋସିଆଲ ରେସପନ୍‌ସିବିଲିଟି) ଫଣ୍ଡରୁ ଯୋଗାଡ଼ ହୋଇଥିବାବେଳେ ସବୁ ପାଣ୍ଠି ଦାତାଙ୍କଠାରୁ ଗ୍ରହଣ କରାଯାଇଛି।