ଏଇ ଭାରତରେ

ଉଚ୍ଚଶିକ୍ଷା ଲାଭ କରିବା ପରେ ଅନେକଙ୍କ ସ୍ବପ୍ନ ଥାଏ ସିଭିଲ ସର୍ଭିସ । ଏଥିରେ କୃତକାର୍ଯ୍ୟ ହୋଇ ଚାକିରି କରିବା ସୌଭାଗ୍ୟ ଖୁବ୍‌ କମ୍‌ ପାଇଥାନ୍ତି। ସେହିଭଳି ଜଣେ ହେଉଛନ୍ତି ରବି କପୁର। ସେ ଆଇଆର୍‌ଏସ୍‌ ଅଧିକାରୀ ହେବା ପରେ ୧୦ ବର୍ଷ ଚାକିରି କରି ତାହାକୁ ଛାଡ଼ି ଏବେ ୟୁପିଏସ୍‌ସି ଆଶାୟୀମାଙ୍କୁ ମାଗଣାରେ କୋଚିଂ ଦେଉଛନ୍ତି। ରବି ମଧ୍ୟ ଜଣେ ବଡ଼ିବିଲ୍ଡର, ପାଓ୍ବାରଲିଫ୍ଟର ଏବଂ ତାଙ୍କର ମାର୍ଗଦର୍ଶନରେ ବର୍ତ୍ତମାନ ବହୁ ଛାତ୍ରୀଛାତ୍ର ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇପାରିଛନ୍ତି। ରବିଙ୍କ ଜନ୍ମ ଦିଲ୍ଲୀର ଏକ ସାଧାରଣ ପରିବାରରେ। ସେ ପ୍ରଥମେ ଜଣେ ପାଓ୍ବାରଲିଫ୍ଟର ଭାବେ ୨୦୦୮ ଏସିଆନ ପାଓ୍ବାର ଲିଫ୍ଟିଂରେ ବ୍ରୋଞ୍ଜ ପଦକ ଲାଭ କରିଥିଲେ। ହେଲେ ତାହା ତାଙ୍କୁ ସନ୍ତୁଷ୍ଟ କରିପାରି ନ ଥିଲା। ସେ ୟୁପିଏସ୍‌ସି ପାଇଁ ପ୍ରସ୍ତୁତ ହୋଇ ସଫଳ ହେବା ପରେ ଆଇଆର୍‌ଏସ୍‌ ଅଧିକାରୀ ଭାବେ ଯୋଗ ଦେଇଥିଲେ । କିନ୍ତୁ ତାହାକୁ ଛାଡ଼ି ସେ ଆଶାୟୀମାନଙ୍କୁ ମାଗଣା କୋଚିଂ ଦେବା ଆରମ୍ଭ କରିଥିଲେ, ଯାହା ଏବେ ଜାରି ରହିଛି।