ଏଇ ଭାରତରେ

ଉତ୍ତରାଖଣ୍ଡ ପୋଲିସ ମହାନିର୍ଦ୍ଦେଶକ ଅଶୋକ କୁମାର ରାଜ୍ୟରେ ଭିକ୍ଷାବୃତ୍ତି କରୁଥିବା ତଥା ବିଭିନ୍ନ ହିଂସାର ଶିକାର ହେଉଥିବା ଗରିବ ପିଲାମାନଙ୍କୁ ଉଦ୍ଧାର କରି ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରୁଛନ୍ତି। ଏବେ ସୁଦ୍ଧା ସେ ୧୭୦୦ ଏଭଳି ଗରିବ ପିଲାଙ୍କୁ ଉଦ୍ଧାର କରିସାରିଲେଣି। ଏଥିରେ ଉତ୍ତରପ୍ରଦେଶ ପୋଲିସ ବିଭାଗ ମଧ୍ୟ ସହଯୋଗ କରୁଛିି। ‘ଅପରେଶନ ମୁକ୍ତି’ କାର୍ଯ୍ୟକ୍ରମ ମାଧ୍ୟମରେ ସେ ଏହି ଅଭିଯାନ ଚଳାଉଛନ୍ତି। ପିଲାମାନଙ୍କୁ ଉଦ୍ଧାର କରିବା ପରେ ସରକାରୀ ସ୍କୁଲରେ ସେମାନଙ୍କ ନାମ ଲେଖାଯିବାର ବ୍ୟବସ୍ଥା କରାଯାଇଛି। ଏବେ ଉତ୍ତରାଖଣ୍ଡର ବିଭିନ୍ନ ଅଞ୍ଚଳରେ ୫-୧୪ ବର୍ଷ ମଧ୍ୟରେ ୪,୦୦୦ରୁ ଊର୍ଦ୍ଧ୍ୱ ବିଲା ଭିକ୍ଷାବୃତ୍ତିରେ ରହିଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ଅଧିକାଂଶଙ୍କୁ ଉଦ୍ଧାର କରାଯାଇସାରିଥିଲେ ବି ଅନ୍ୟମାନଙ୍କୁ ଖୁବ୍‌ଶୀଘ୍ର ଶିକ୍ଷା ସ୍ରୋତରେ ସାମିଲ କରାଯିବ ବୋଲି ଡିଜିପି କହିଛନ୍ତି। ଶିଶୁମାନଙ୍କୁ ଶ୍ରମିକ ଓ ଭିକ୍ଷାବୃତ୍ତିରୁ ମୁକୁଳାଇବା ଲାଗି ସେ ମାନବ ଚାଲାଣ ନିରୋଧୀ ୟୁନିଟ୍‌ର ୧୦୦ ପୋଲିସ କର୍ମଚାରୀଙ୍କ ସହାୟତାରେ ପଥପ୍ରାନ୍ତ ନାଟକ ମଧ୍ୟ ଆୟୋଜନ କରୁଛନ୍ତି। ଏହି ଅଭିଯାନ ପାଇଁ ଡିଜିପିଙ୍କୁ ‘ପୋଲିସ ଅଙ୍କଲ’ ବୋଲି ପିଲାମାନେ ସମ୍ବୋଧନ କରୁଛନ୍ତି।