ଏଇ ଭାରତରେ

ଜୀବେ ଦୟା ଭାବକୁ ପ୍ରତିପାଦିତ କରିଛନ୍ତି ପଟିଆଲାର ସୁଷମା ସିଂ। ସେ ବୁଲାକୁକୁରଙ୍କୁ ଉଦ୍ଧାର କରି ଘରେ ଆଶ୍ରୟ ଦେବା ସହ ସେମାନଙ୍କ ଯତ୍ନ ନେଉଛନ୍ତି। ଏହି କାର୍ଯ୍ୟ ସେ ୯ ବର୍ଷ ବୟସରୁ ଆରମ୍ଭ କରିଛନ୍ତି। ସେ ଏବେ ଘରେ ୮୫ ଆହତ ଓ ଅସହାୟ କୁକୁରଙ୍କୁ ଉଦ୍ଧାର କରି ରଖିଛନ୍ତି। ଏମାନଙ୍କ ଯତ୍ନ ନେବାରେ ସୁଷମାଙ୍କ ପରିବାରର ସଦସ୍ୟମାନେ ଯଥାସମ୍ଭବ ସହଯୋଗ କରୁଛନ୍ତି। ସବୁ ପ୍ରାଣୀ ତାଙ୍କ ପିଲା ଭଳି ଓ ସେମାନଙ୍କୁ ପାଳିବା ଲାଗି ସେ ବିବାହ କରିନାହାନ୍ତି ବୋଲି କହନ୍ତି ସୁଷମା। ରାସ୍ତାରେ ବୁଲୁଥିବା ୩୦୦ କୁକୁରଙ୍କୁ ପ୍ରତିଦିନ ସେ ମଧ୍ୟ ଖାଇବାକୁ ଦେଉଛନ୍ତି। ଏହିି ଖାଦ୍ୟ ତାଙ୍କ ମା’ ଓ ଭାଇ ପ୍ରସ୍ତୁତ କରୁଛନ୍ତି। ସୁଷମାଙ୍କ ବୟସ ଏବେ ୪୨। ସେ ଏକ ଘରୋଇ ମହାବିଦ୍ୟାଳୟରେ କାମ କରୁଛନ୍ତି। ସେ ପାଉଥିବା ସବୁ ଦରମା ଏହି ପ୍ରାଣୀଙ୍କ ସେବାରେ ଖର୍ଚ୍ଚ କରୁଛନ୍ତି। ୩୦ ବର୍ଷ ହେଲା ସେ ଏହି କାର୍ଯ୍ୟ କରି ଆସୁଛନ୍ତି। କେବେ ବି ଅର୍ଥାଭାବରୁ ସେ କୁକୁରଙ୍କୁ ଭୋକିଲା ରଖିନାହାନ୍ତି। ଭବିଷ୍ୟତରେ ଅର୍ଥାଭାବର ସମ୍ଭାବନାକୁ ଲକ୍ଷ୍ୟ କରି ସେ ‘ଚୌପାୟା ଜୀବ ରକ୍ଷା ଫାଉଣ୍ଡେଶନ’ ଗଠନ କରିଛନ୍ତି ଓ ତା’ ମାଧ୍ୟମରେ କେତେଜଣ ବନ୍ଧୁଙ୍କ ସହଯୋଗରେ ପାଣ୍ଠି ଯୋଗାଡ଼ କରୁଛନ୍ତି। ଏହି କାର୍ଯ୍ୟରେ ସୁଷମାଙ୍କ ସହିତ ବହୁ ବ୍ୟକ୍ତି ମଧ୍ୟ ଯୋଡ଼ି ହୋଇଗଲେଣି। ସୁଷମା କହନ୍ତି, ଯେ କୌଣସି ବ୍ୟକ୍ତି ଅସହାୟ ଜୀବଙ୍କୁ ଉଦ୍ଧାର କରି ତାଙ୍କ ଘରକୁ ଏକ ଆଶୟସ୍ଥଳୀ କରିପାରିବେ। ଏଥିପାଇଁ ଦୃଢ ଇଚ୍ଛାଶକ୍ତି ଓ ନିଷ୍ଠା ଆବଶ୍ୟକ।