ଏଇ ଭାରତରେ

ପରିଣତ ବୟସରେ ବିଶ୍ରାମ ଶରୀର ପାଇଁ ଅପରିହାର୍ଯ୍ୟ। କିନ୍ତୁ ଦିଲ୍ଲୀର ଏକ ଦମ୍ପତି ଯୋଗେଶ୍ୱର ଓ ସୁଷମା ଭାଲ୍ଲାଙ୍କ ନିଆରା ସଉକ ସେମାନଙ୍କ ବୟସକୁ ପଛରେ ପକାଇ ଦେଇଛି। ବୟସ ସେମାନଙ୍କ ପାଇଁ ଏକ ସଂଖ୍ୟା ପାଲଟିଛି। ଯୋଗେଶ୍ୱରଙ୍କ ବୟସ ୭୩ ହୋଇଥିବାବେଳେ ସୁଷମାଙ୍କ ବୟସ ୬୯। ସେମାନେ ବିବାହ ପରେ ହନିମୁନ ଲାଗି ପ୍ରଥମେ ବାଇକ୍‌ରେ ଶ୍ରୀନଗର ଯାଇଥିଲେ। ପରେ ଯୋଗେଶ୍ୱର ଚାକିରିରୁ ଶୀଘ୍ର ଅବସର ନେଇ ତାଙ୍କ ବାଇକ୍‌ ଯାତ୍ରା ଆରମ୍ଭ କରିଥିଲେ। ସେମାନେ ଏକାଠି ରୟାଲ ଏନ୍‌ଫିଲ୍ଡ ବୁଲେଟ୍‌ରେ ଭୁଟାନ, ନେପାଳ, ଲେହ, ଲଦାଖ ବୁଲିସାରିଛନ୍ତି। କେବଳ ଏତିକି ନୁହେଁ, ଏହି ଦମ୍ପତି ବେଲ୍‌ଜିୟମ, ଦୁବାଇ, ଫ୍ରାନ୍ସ, କାତାର, ରୋମ, ସିଙ୍ଗାପୁର, ଇଂଲଣ୍ଡ, ସ୍କଟ୍‌ଲାଣ୍ଡ, ତୁର୍କୀ, ଭିଏନା ସମେତ ୨୨ଟି ଦେଶ ଭ୍ରମଣ କରିସାରିଲେଣି। ପରିଣତ ବୟସରେ ଯୋଗେଶ୍ୱରଙ୍କ ଏପରି ଦୁର୍ବାର ପ୍ରୟାସକୁ ସମସ୍ତେ ତାରିଫ କରନ୍ତି। ୨୦୨୧ରେ ଯୋଗେଶ୍ୱରଙ୍କ ଆଣ୍ଠୁ ରିପ୍ଲେସ୍‌ମେଣ୍ଟ ସର୍ଜରି ହୋଇଥିଲା। ସମସ୍ତେ ଭାବିଥିଲେ ସେ ଆଉ ଦୂର ଯାତ୍ରାକୁ ମନ ବଳାଇବେ ନାହିଁ। ହେଲେ ସେ କିଛିଦିନର ବିରତି ପରେ ପୁଣି ସାହାସ ଜୁଟାଇଥିଲେ। ଏବେ ସେ ସଫଳତା ପୂର୍ବତକ ଦୂରଯାତ୍ରା ଜାରି ରଖିଛନ୍ତି ା