ଏଇ ଭାରତରେ

ଅସହାୟଙ୍କ ଓଠରେ ହସ ଖେଳାଇବା ଲାଗି ନିଜ ଆୟର ଅଧାରୁ ଅଧିକ ଖର୍ଚ୍ଚ କରୁଛନ୍ତି ପଶ୍ଚିମବଙ୍ଗର ଅର୍ପଣ ବାନାର୍ଜୀ। ୨୨ ବର୍ଷ ହେଲା ସେ ଏହା କରିଆସୁଛନ୍ତି। ଅର୍ପଣ ୭ ଅନାଥାଶ୍ରମ ଓ ୫ଟି ବୃଦ୍ଧାଶ୍ରମରେ ଅସହାୟଙ୍କୁ ଭେଟି ସେମାନଙ୍କ ଭଲମନ୍ଦ ବୁଝୁଛନ୍ତି। ସେମାନଙ୍କ ପାଇଁ ସମୟ ଦେଇ ଏକ୍‌ଲାପଣ ଦୂର କରିବା ସହ ସେମାନଙ୍କୁ ଉପହାର ଓ ପୋଷାକ ଯୋଗାଇ ଦେଉଛନ୍ତି। ପିଲାବେଳେ ସେ ଦୁଷ୍ଟ ଥିବାରୁ ତାଙ୍କୁ ପଢ଼ିବା ଲାଗି ଏକ ଆଶ୍ରମ ସ୍କୁଲରେ ମାତାପିତା ଛାଡ଼ିଦେଇଥିଲେ। ସେଠାରେ ରହିବା ସମୟରେ ନିକଟରେ ଥିବା ଏକ ଅନାଥ ଆଶ୍ରମର ପିଲାଙ୍କୁ ଦେଖି ଭବିଷ୍ୟତରେ ଏଭଳି ପିଲାଙ୍କୁ ସାହାଯ୍ୟ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ପ୍ରଥମେ ତାଙ୍କ ପାଖରେ ଅର୍ଥ ନ ଥିବାରୁ ସେ ସେମାନଙ୍କ ପାଇଁ ରକ୍ତ ଦାନ କରିବା ଆରମ୍ଭ କରିଥିଲେ। ପରେ ଏକ ପ୍ରପର୍ଟି ପ୍ରୋଜେକ୍ଟରେ କାମ କଲେ ଓ ଯାହା ରୋଜଗାର ହେଲା ତାହାକୁ ନେଇ ଅନାଥାଶ୍ରମ ଓ ବୃଦ୍ଧାଶ୍ରମକୁ ଯାଇ ସେବା କରିବାକୁ ଲଗିଲେ। ଏବେ ଏହି କାର୍ଯ୍ୟରେ ତାଙ୍କର କେତେଜଣ ବନ୍ଧୁ ସାହାଯ୍ୟ କରୁଛନ୍ତି।