Advertisement

ଏଇ ଭାରତରେ

ଡାକ୍ତର ହେଉ କିମ୍ବା ଇଞ୍ଜିନିୟର, ଅଧିକ ରୋଜଗାର ପାଇର୍ଁ ସେମାନେ ଆମେରିକାରେ ଚାକିରି କରିବାକୁ ପସନ୍ଦ କରନ୍ତି। ଏମତି ବି ପସନ୍ଦ ଥିଲା ଡା. ଚନ୍ଦିଲ ଛୁଗ୍‌ ଓ ଡା.ନିବେଦିତା ପାଣ୍ଡେଙ୍କର। ଏହି ଦମ୍ପତି ଆମେରିକାରେ ୧୧ ବର୍ଷ ଚାକିରି କରିବା ପରେ ଭାରତ ଫେରିଆସି ବିହାରର ଗ୍ରାମୀଣ ଅଞ୍ଚଳରେ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ଡା.ଚନ୍ଦିଲ ଚାକିରି କରିଥିବା ସମୟରେ ବିହାରକୁ ଆସନ୍ତି ଓ ସ୍ବାସ୍ଥ୍ୟ ସେବାରେ ଅବ୍ୟବସ୍ଥା ଦେଖି ସେଥିରେ ସୁଧାର ଆଣିବା ଲାଗି ଯଥାସାଧ୍ୟ ଚେଷ୍ଟା କରିବାକୁ ସ୍ଥିର କରିଥିଲେ। ପରେ ଏହି ଦମ୍ପତି ୨୦୧୬ରେ ବିହାରକୁ ଫେରିଆସିଥିଲେ। ପରେ ଡକ୍ଟର ଗୁଡ୍‌ ଡିଡ୍‌ କ୍ଲିନିକ୍‌ ପ୍ରତିଷ୍ଠା କରି ବିହାରର ଗ୍ରାମାଞ୍ଚଳରେ ଠିକ୍‌ ସମୟରେ ଓ ଶସ୍ତାରେ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ଫାର୍ମାସୀ ସର୍ଭିସ, ଲାବୋରେଟୋରି ପରୀକ୍ଷା ଇତ୍ୟାଦି ଖୁବ୍‌ କମ୍‌ ଖର୍ଚ୍ଚରେ କରାଯାଉଛି। ଡାକ୍ତରଙ୍କୁ ମଧ୍ୟ ମାଗଣାରେ ପରାମର୍ଶ କରିବାର ସୁବିଧା ରଖାଯାଇଛି। ଏହା ଦ୍ୱାରା ରୋଗୀମାନଙ୍କୁ ଖର୍ଚ୍ଚାନ୍ତ ହୋଇ ଦୂର ସହରକୁ ଯିବାକୁ ପଡୁନାହିଁ। ଏହାବ୍ୟତୀତ ପାଟନା ଓ ଏହାର ନିକଟବର୍ତ୍ତୀ ଗାଁଗୁଡ଼ିକରେ ପ୍ରତି ମାସରେ ସ୍ବାସ୍ଥ୍ୟ ଶିବିର ଓ ଆଉଟ ପେସେଣ୍ଟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଡ.ଗୁଡ ଡିଡ୍‌ କ୍ଲିନିକ ପ୍ରଥମ ବର୍ଷ ୧.୦୦୦ ରୋଗୀଙ୍କୁ ଶସ୍ତାରେ ସେବା ଯୋଗାଇ ଦେଇଥିବାବେଳେ ଏବେ ବର୍ଷକୁ ୩,୦୦୦ ରୋଗୀ ଏହାର ଲାଭ ପାଇପାରୁଛନ୍ତି। ଚିକିତ୍ସାରେ ଅବହେଳା ନ ହେବା ଲାଗି ବହୁ ସମୟରେ ସେମାନେ ଦିଲ୍ଲୀରୁ ଡାକ୍ତରମାନଙ୍କ ସହଯୋଗ ନେଉଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel