ଏଇ ଭାରତରେ

ଦିଅଁଙ୍କ ପାଇଁ ଫୁଲ ବ୍ୟବହାର ହେବା ପରେ ତାହାକୁ ନଦୀ, ନାଳ କିମ୍ବା ବାହାରେ ଫିଙ୍ଗି ଦିଆଯାଉଛି। ଏହା ମଧ୍ୟ ଜଳ ପ୍ରଦୂଷଣର କାରଣ ହେଉଛି। କିନ୍ତୁ ଏହି ସମସ୍ୟାର ସମାଧାନ ଲାଗି ଉତ୍ତରାଖଣ୍ଡ ନୈନତାଲର ଡା. କିରଣ ତିଓ୍ବାରୀ ଏକ ପରିବେଶ ଉପଯୋଗୀ ଉପାୟ ଆପଣାଇଛନ୍ତି। ନୈନଦେବୀ ମନ୍ଦିର ବ୍ୟତୀତ ନିକଟସ୍ଥ ଗୁରୁଦ୍ୱାରରୁ ଫୁଲ ସଂଗ୍ରହ କରି ସେଥିରୁ ରଙ୍ଗ ପ୍ରସ୍ତୁତ କରୁଛନ୍ତି । ତାହାକୁ ବ୍ୟବହାର କରି କନାରେ ବିଭିନ୍ନ ଡିଜାଇନ କରୁଛନ୍ତି। ଏହି ଡିଜାଇନକୁ ‘ଫୁଲେରି ଆର୍ଟସ ’ କୁହାଯାଉଛି। ଏହି ରଙ୍ଗ ବ୍ୟବହାର କରି ଶାଢ଼ି, ଷ୍ଟୋଲ ଓ ରୁମାଲ ଆଦି ତିଆରି କରାଯାଉଛି। ଏହି କାର୍ଯ୍ୟରେ ୧୦ ଜଣ ମହିଳାଙ୍କୁ ନିଯୁକ୍ତି ଦେଇଛନ୍ତି। କେବଳ ଏତିକି ନୁହେଁ ଡା. କିରଣ ଓ ତାଙ୍କ ଟିମ୍‌ ମଧ୍ୟ ବର୍ଜ୍ୟ ଫୁଲରୁ ହୋଲି ପାଇଁ ପ୍ରାକୃତିକ ରଙ୍ଗ, କୁଙ୍କୁମ, ଧୂପ ଆଦି ପ୍ରସ୍ତୁତ କରୁଛନ୍ତି। ଏହି କାର୍ଯ୍ୟ ଡା. କିରଣଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଚେଲି ଆର୍ଟସ’ ସଂସ୍ଥା ମାଧ୍ୟମରେ କରାଯାଉଛି। ଏହି ସଂସ୍ଥା ମଧ୍ୟ ପାହାଡ଼ି ଉତ୍ପାଦ ଓ କୁମାଁଉନୀ ସଂସ୍କୃତି ବିକାଶ କ୍ଷେତ୍ରରେ କାମ କରୁଛି।