ଏଇ ଭାରତରେ

ଖାଦ୍ୟାଭାବ, ବିଶ୍ୱତାପନ ତଥା ଜଳବାୟୁ ପରିବର୍ତ୍ତନ ଜୀବଜଗତକୁ ପ୍ରଭାବିତ କରୁଛି। ବହୁ ବିରଳ ପ୍ରଜାତିର ଜୀବ ଲୋପ ପାଇଯାଉଛନ୍ତି। ଏଭଳି ଜୀବଙ୍କ ମଧ୍ୟରେ ସବୁଠୁ ଛୋଟ ବଣ ଘୁଷୁରି(ପିଗ୍‌ମି ହଗ) ଅନ୍ୟତମ। ଘର ବିରାଡ଼ି ଭଳି ଦେଖିବାକୁ ଏହି ଜୀବ ମାତ୍ର ୬୦ ସେ.ମି. ଲମ୍ବ ଓ ଉଚ୍ଚତା ୨୫ ସେ.ମି.। ଏମାନେ ଆସାମର କୋକ୍ରାଝର ଜିଲାରେ ଦେଖାଯାଆନ୍ତି। ଏବେ ଏମାନଙ୍କ ସୁରକ୍ଷା କରୁଛନ୍ତି ଡ. ପରାଗ ଡେକା। ସେ ଭେଟେରିନାରି ସାଇନ୍ସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ସରକାରୀ ଚାକିରି ଛାଡ଼ି ଗତ ୨୩ ବର୍ଷ ହେବ ସେ ଏହି କାର୍ଯ୍ୟରେ ଲାଗିଛନ୍ତି। ଆଠ ବର୍ଷ ବୟସରେ ବାତ୍ୟାରେ ଆହତ ପକ୍ଷୀମାନଙ୍କ ଜୀବନ ବଞ୍ଚାଇବା ପରେ ସେବେଠାରୁ ତାଙ୍କୁ ବିଲୁପ୍ତ ପ୍ରାୟ ଜୀବଙ୍କୁ ସୁରକ୍ଷା କରିବାର ନିଶା ଘାରିଥିତ୍ଲା। ଶିକ୍ଷା ଶେଷ କରିବା ପରେ ପିଗ୍‌ମି ହଗ୍‌ କଞ୍ଜରଭେଶନ ପ୍ରୋଗ୍ରାମ (ପିଏଚ୍‌ସିପି) ମାଧ୍ୟମରେ ଡେକା ଛୋଟ ବଣ ଘୁଷୁରିଙ୍କ ସୁରକ୍ଷା କରୁଛନ୍ତି। ତାଙ୍କୁ ଏଥିରେ ସରକାର ଏବଂ ଏକ ସ୍ଥାନୀୟ ଏନ୍‌ଜିଓ ସହଯୋଗ କରୁଛନ୍ତି। ଏବେ ମାତ୍ର ୩୦୦ଟି ପିଗ୍‌ମି ରହିଛନ୍ତି। ସେମାନଙ୍କ ବଂଶ ବୃଦ୍ଧି କରି ଗତ ୧୧ ବର୍ଷ ମଧ୍ୟରେ ଡେକା ଆସାମର ୪ଟି ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟରେ ୧୩୦ଟି ପିଗ୍‌ମି ଛାଡ଼ିଛନ୍ତି।