ଏଇ ଭାରତରେ

ପ୍ରକୃତି ଭିତରେ ରହିବାକୁ ଚାହୁଁଛନ୍ତି ତ ଆଉ ହିମାଳୟ ଯିବାକୁ ପଡ଼ିବ ନାହିଁ, ମହାରାଷ୍ଟ୍ରର ବାନୋଶୀ ହୋମ୍‌ ଷ୍ଟେ ଯାଇ ସେଠାରେ ସବୁକିଛି ପାଇପାରିବେ। ସିନ୍ଧୁଦୁର୍ଗ ନିବାସୀ ପ୍ରକୃତିପ୍ରେମୀ ପ୍ରବୀଣ ଦେଶାଇ ସୁନ୍ଦର ପାହାଡ଼ ମଧ୍ୟରେ ‘ବାନୋଶୀ ହୋମ୍‌ ଷ୍ଟେ’ ଗଢ଼ିଛନ୍ତି, ଯେଉଁଠି ଅନେକ ଅନେକ ହଜାର ଗଛ, ୧୨୦ରୁ ଅଧିକ ପ୍ରଜାତିର ପକ୍ଷୀ ଓ ୪୦ ପ୍ରଜାତିର ପ୍ରଜାପତି ରହିଛନ୍ତି। ପ୍ରବୀଣ ୨୦୧୫ରେ ପ୍ରଥମେ ଏକ ପ୍ରଜାପତି ଉଦ୍ୟାନ କରିଥିଲେ ଓ ଖୁବ୍‌ କମ୍‌ ଦିନରେ ଏହା ଅନେକ ହଜାର ପ୍ରଜାପତିଙ୍କ ଘର ପାଲଟି ଯାଇଥିଲା। ଏହାକୁ ଦେଖିବା ଲାଗି ସେଠାରେ ଲୋକଙ୍କ ଭିଡ଼ ଜମିବା ଆରମ୍ଭ ହୋଇଗଲା। ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ପ୍ରବୀଣ ସେଠାରେ ଦୁଇଟି କୁଟୀର ନିର୍ମାଣ କରି ସେମାନଙ୍କ ରହିବା ଓ ଖାଇବା ବନ୍ଦୋବସ୍ତ କରିଥିଲେ। ବ୍ୟକ୍ତିଗତ ଉଦ୍ୟମରେ ଏଭଳି ପର୍ଯ୍ୟଟନ ସ୍ଥଳୀଟିଏ ଖୁବ୍‌ କମ୍‌ ଦେଖାଯାଏ। ଏବେ ସେଠାରେ ଅନେକ କୁଟୀର ନିର୍ମାଣ କରାଯାଇଛି। ପର୍ଯ୍ୟଟକମାନେ ଆସି ରହୁଛନ୍ତି ଓ ସେଠାକାର ଖାଦ୍ୟ ଏବଂ ଜୀବନଶୈଳୀର ଅନୁଭବ ଆନନ୍ଦର ଉତ୍ସ ପାଲଟୁଛି।