ଏଇ ଭାରତରେ

ଅନେକଙ୍କର ଜୀବନ ଜୀବିକା ସଂଘର୍ଷର କାହାଣୀ ପ୍ରେରଣାଦାୟୀ ହୋଇଥାଏ, ଯାହା ଘଟିଛି ଗାଜିଆବାଦର ବାଇକ୍‌ ମେକାନିକ୍‌ ପୁନମ୍‌ ଦେବୀଙ୍କ ଜୀବନରେ। ପୁନମ୍‌ଙ୍କ ସ୍ବାମୀ ପେସାରେ ଜଣେ ମେକାନିକ୍‌। କିନ୍ତୁ ଏକ ଦୁର୍ଘଟଣା ପରେ ସେ ପକ୍ଷାଘାତର ଶିକାର ହୋଇଥିଲେ। ପରିବାରର ରୋଜଗାର ଶୂନ ହୋଇଯିବାରୁ ଦାୟିତ୍ୱ ପୁନମଙ୍କ ଉପରକୁ ଆସିଲା। ସେ ପତିଙ୍କ ଭଳି ମେକାନିକ୍‌ କାମ କରିବାକୁ ଆଗେଇ ଆସିଲେ। ପୁରୁଷକୈନ୍ଦ୍ରିକ କାର୍ଯ୍ୟକୁ ସଫଳତାର ସହ ନିର୍ବାହ କରିପାରିବେ ନାହିଁ ବୋଲି ଅନେକ ଆରମ୍ଭରୁ ମନେ କରିଥିଲେ। କିନ୍ତୁ ଏବେ ପୁନମ୍‌ ତାଙ୍କ ଦକ୍ଷତା ପ୍ରତିପାଦିତ କରି ଅନ୍ୟ ଅସହାୟା ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି। ଆରମ୍ଭରୁ ସେ ଏହି କାର୍ଯ୍ୟରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ ବି ତାହାକୁ ଅତିକ୍ରମ କରିଯାଇଛନ୍ତି। ସେ ନିୟମିତ ସକାଳୁ ଘରକାମ ସାରି ଗ୍ୟାରେଜ ଯାଉଛନ୍ତି। ସେଠାରେ ବିଳମ୍ବିତ ରାତିଯାଏ କାମ କରୁଛନ୍ତି। ଏହି ରୋଜଗାରରେ ଏବେ ତାଙ୍କ ପରିବାର ଭଲରେ ଚଳୁଛି ଓ ପିଲାମାନେ ବି ପଢ଼ିପାରୁଛନ୍ତି।