ଏଇ ଭାରତରେ

ଏକ ସୁସ୍ଥ ପୃଥିବୀ ପାଇଁ ପରିବେଶର ସୁରକ୍ଷା ଜରୁରୀ। ଏ ଦିଗରେ ଭାରତରେ ଯେଉଁ କେତେଜଣ କାର୍ଯ୍ୟ କରୁଛନ୍ତି ସେମାନଙ୍କ ମଧ୍ୟରେ ଦିଲ୍ଲୀର ଅର୍ପିତ ଧୁପରଙ୍କ ଉଦ୍ୟମ ପ୍ରଶଂସନୀୟ। ପଞ୍ଜାବ ଓ ହରିୟାଣାରେ ଖୁଣ୍ଟାପୋଡ଼ିରୁ ବାହାରୁଥିବା ଧୂଆଁ ପରିବେଶ ପ୍ରଦୂଷଣ କରୁଥିବାରୁ ଏହାର ସମାଧାନ ବାଟ ବାହାର କରିଛନ୍ତି ଅର୍ପିତ। ସେ ‘ଦରକ୍ଷା ଇକୋସିଷ୍ଟମସ’୍‌ ଷ୍ଟାର୍ଟଅପ ଗଠନ କରି ତା’ ମାଧ୍ୟମରେ ବର୍ଜ୍ୟ ଧାନଖୁଣ୍ଟାର ପୁନଃ ଉପଯୋଗ କରୁଛନ୍ତି। ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ଧାନଖୁଣ୍ଟାରୁ ପ୍ୟାକେଜିଂ ଜିନିଷ ତିଆରି କରୁଛନ୍ତି। ଏସବୁ ପରିବେଶ ଉପଯୋଗୀ ଓ ବିଘଟନ ଯୋଗ୍ୟ । ଏହା ଫଳରେ ପ୍ୟାକେଜିଂରେ ବ୍ୟବହୃତ ଥର୍ମକୁଲ ଓ ପ୍ଲାଷ୍ଟିକ ଆଉ ବିପୁଳ ପରିମାଣରେ ବାହାରେ ଜମା ହୋଇ ରହିବ ନାହିଁ ବୋଲି କହନ୍ତି ଅର୍ପିତ। ଦିଲ୍ଲୀ ଆଇଆଇଟିରୁ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିବା ପରେ ସେ ଏହି ଷ୍ଟାର୍ଟଅପ ଆରମ୍ଭ କରିଥିଲେ। ଏବେ ସୁଦ୍ଧା ସେ ପଞ୍ଜାବ ଓ ହରିୟାଣାର ୧୦୦ ଏକର ଜମିରୁ ୨୫୦ ଟନରୁ ଅଧିକ ଖୁଣ୍ଟା ସଂଗ୍ରହ କରି ସେଥିରୁ ପ୍ୟାକେଜିଂ ଜିନିଷ ପ୍ରସ୍ତୁତ କରି ସାରିଲେଣି। ସେ ଏକର ପିଛା ଖୁଣ୍ଟା ବାବଦରେ କୃଷକଙ୍କୁ ୨,୫୦୦ ଟଙ୍କା ଦେଇ ତାହାକୁ କିଣୁଛନ୍ତି। ଅର୍ପିତଙ୍କ ଏହି କାର୍ଯ୍ୟ ଦ୍ୱାରା ପରିବେଶ ପ୍ରଦୂଷଣ କମିବା ସହ କୃଷକମାନଙ୍କର ଆୟ ମଧ୍ୟ ବଢୁଛି।