ଏଇ ଭାରତରେ

ସେବାର ଇଚ୍ଛାଶକ୍ତିକୁ ବୟସ ଅଟକାଇପାରେନାହିଁ। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟର ୩୦ ବର୍ଷୀୟା ଆଶା ରାଜପୁରୋହିତଙ୍କ ଜୀବନରେ। ଆଶା ଏବେ ଅସହାୟ ବୃଦ୍ଧାମାନଙ୍କ ଆଶାବାଡ଼ି ପାଲଟିଛନ୍ତି। ସେ ଡିସାରେ ‘ସୁଦାମା ବୃଦ୍ଧାଶ୍ରମ’ ଚଳାଉଛନ୍ତି ଓ ସେଠାରେ ୨୨ ଜଣ ବୃଦ୍ଧାଙ୍କ ଯତ୍ନ ନେଉଛନ୍ତି। ସେ ମଧ୍ୟ ସେହି ଆଶ୍ରମର ସେମାନଙ୍କ ଝିଅ ଭଳି ରହୁଛନ୍ତି, ସାରା ଜୀବନ ଏଭଳି ସେବାରେ ରହିବେ ବୋଲି କହିଛନ୍ତି। ଆଶାଙ୍କୁ ୧୬ ବର୍ଷ ବୟସ ହୋଇଥିଲାବେଳେ ତାଙ୍କ ପିତା କାନ୍ତିଲାଲ ରାଜପୁରୋହିତ ଏହି ଆଶ୍ରମ ପ୍ରତିଷ୍ଠା କରିଥିଲେ। ସେ ଏହାକୁ ନିଜ ଆୟରେ ଚଳାଉଥିଲେ। ଏହାକୁ ୧୦ ବର୍ଷ ଚଳାଇବା ପରେ ତାଙ୍କର ଦେହାନ୍ତ ହୋଇଥିଲା। କିନ୍ତୁ ଶେଷ ସମୟରେ ସେ ଏହି ଆଶ୍ରମର ଦାୟିତ୍ୱ ଆଶାଙ୍କୁ ଦେଇଥିଲେ। ସେବେଠାରୁ ଆଶା ଏହି ବୃଦ୍ଧାଶ୍ରମ ପରିଚାଳନା କରି ଆସୁଛନ୍ତି। ନିଜ ପରିବାରର ଆୟ ତଥା ବଦାନ୍ୟ ବ୍ୟକ୍ତିଙ୍କ ଅନୁଦାନରେ ସେ ଏହାକୁ ଚଳାଉଛନ୍ତି। ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ନିୟମିତ ଚିକିତ୍ସା ସେବା ଯୋଗାଇଦେବା ସହ ସେମାନଙ୍କ ପାଇଁ ବହୁ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରୁଛନ୍ତି।