Advertisement

ଏଇ ଭାରତରେ

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଦେଖିବାକୁ ମିଳୁଛି ଯେଉଁଥିରେ ଏକ କୁକୁର ଟ୍ରେନ ଯାତ୍ରୀଙ୍କ ସୁରକ୍ଷାକୁ ବୁଝିବା ଯୋଗୁ ହିରୋ ପାଲଟି ଯାଇଛି। କୁକୁରଟି ଚଳନ୍ତା ଟ୍ରେନ ସହ ଦୌଡ଼ି ଗେଟ୍‌ର ଫୁଟବୋର୍ଡରେ ଠିଆ ହୋଇଥିବା କିମ୍ବା ବସିଥିବା ଯାତ୍ରୀଙ୍କୁ ଦେଖି ଜୋର୍‌ରେ ଭୁକୁଛି ଓ କାମୁଡ଼ିବାର ଅଭିନୟ କରି ଭିତରକୁ ଯିବାକୁ ବାଧ୍ୟ କରୁଛି। ଭିଡିଓକୁ ଭାରତୀୟ ରେଲ୍‌ଓ୍ବେର ଅଧିକାରୀ ଅନନ୍ତ ରୁପାଙ୍ଗୁଡି ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଭିଡିଓର କ୍ୟାପଶନରେ ଅନନ୍ତ ଲେଖିଛନ୍ତି ଫୁଟବୋର୍ଡରେ ଯାତ୍ରା ବିରୋଧରେ ହେଉଥିବା ଅଭିଯାନରେ ଏହା କୁକୁରର ସର୍ବୋତ୍ତମ ସହଯୋଗ। ଏହି କୁକୁରର ଆଚରଣ ଇଣ୍ଟରନେଟ ବ୍ୟବହାରକାରୀଙ୍କ ମଧ୍ୟରେ ଅନେକ ଆଗ୍ରହ ସୃଷ୍ଟି କରିଛି। ଏହା ସହିତ ୟୁଜରମାନେ ରେଲ୍‌ଓ୍ବେରେ ଏହି କୁକୁରକୁ ସୁରକ୍ଷା ଚାକିରି ଦେବାର ଦାବି ମଧ୍ୟ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ୧.୪୮ ଲକ୍ଷରୁ ଅଧିକ ଲୋକ ଏହି ଭିଡିଓ ଦେଖିଛନ୍ତି ଏବଂ ଏହି ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି। ଏହା ଉପରେ ଜଣେ ୟୁଜର ଲେଖିଛନ୍ତି ଏହି କୁକୁରକୁ ରେଳବାଇରେ ଏକ ଚାକିରିରେ ନିଯୁକ୍ତ କରାଯିବା ଉଚିତ। ସେହି ସମୟରେ, ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଦୟାକରି ଦରମା ବିଷୟରେ ଆଲୋଚନା କରନ୍ତୁ। ଏହି କୁକୁର ରେଲଓ୍ବେକୁ ନିରାଶ କରିବ ନାହିଁ। ଜଣେ ଉପଭୋକ୍ତା ଲେଖିଛନ୍ତି କୁକୁରକୁ ପୁରସ୍କାର ପ୍ରଦାନ କରାଯିବା ଉଚିତ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel