ଏଇ ଭାରତରେ

ଦେଶର ମହିଳା ଚାଷୀଙ୍କ ପାଇଁ କର୍ନାଟକର କବିତା ମିଶ୍ରା ଏକ ପ୍ରେରଣା। ରାଇଚୁର ଜିଲାର କବିତା ଇନ୍‌ଫୋସିସ୍‌ ଚାକିରି ଛାଡ଼ି ଫଳଚାଷ କରି ମାସକୁ ୧୫ରୁ ୨୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ୮ ଏକର ଫାର୍ମରେ ସେ ବିଭିନ୍ନ ପ୍ରକାର ଫଳ ଗଛ ଲଗାଇଛନ୍ତି। ୮୦୦ ଚନ୍ଦନ ଗଛ ମଧ୍ୟ ଲଗାଇଛନ୍ତି। ଫଳଗଛଗୁଡ଼ିକ ମଧ୍ୟରେ ରହିଛି ପିଜୁଳି, ଆତ, ଜାମୁ, ଡଳିମ୍ବ, ଆମ୍ବ, କମଳା। କବିତା ମନସ୍ତତ୍ତ୍ୱରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ସହ କମ୍ପ୍ୟୁଟର ସାଇନ୍ସରେ ଡିପ୍ଲୋମା କରିଛନ୍ତି। ବିବାହ ପରେ ସ୍ବାମୀ ଉମାଶଙ୍କର ତାଙ୍କ ୪୩ ଏକର ପୈତୃକ ସମ୍ପତ୍ତିରୁ ୮ ଏକର କବିତାଙ୍କୁ ଦେଇଥିଲେ ଓ ଚାକିରି ଛାଡ଼ି ଚାଷ କରିବାକୁ ପ୍ରେରଣା ଯୋଗାଇଥିଲେ। ସେ ବହୁ ମହିଳାଙ୍କୁ ଚାଷ କ୍ଷେତ୍ରକୁ ଆଣିପାରିଛନ୍ତି। ୧୧ ବର୍ଷ ତଳେ ସେ ଏଭଳି ଚାଷ ଆରମ୍ଭ କରିଥିଲେ। ଫାର୍ମର ସୁରକ୍ଷା ପାଇଁ କବିତା ଗଛରେ ମାଇକ୍ରୋଚିଫ୍‌ ଲଗାଇଛନ୍ତି। କେହି ଗଛ କାଟିଲେ କିମ୍ବା ସେଥିରେ ଚଢ଼ି ଫଳ ତୋଳିଲେ ଗଛରେ ଭାଇବ୍ରେସନ ହୁଏ ଓ କବିତାଙ୍କ ସ୍ମାର୍ଟ ଫୋନ୍‌କୁ ସତର୍କ ସୂଚନା ପ୍ରେରଣ କରେ ମାଇକ୍ରୋଚିଫ୍‌। ସେ ମଧ୍ୟ ଫାର୍ମରେ ଡଗ୍‌ ସ୍କ୍ବାଡ୍‌ ରଖିଛନ୍ତି। ଫଳ ବିକ୍ରି କରିବା ପାଇଁ କବିତା ରୋଡ୍‌ କଡ଼ରେ ଏକ ଗୋଦାମ କରିଛନ୍ତି। ବିଭିନ୍ନ ଅଞ୍ଚଳରୁ ଲୋକେ ତାଙ୍କ ଫାର୍ମକୁ ଆସି ଚାଷ ପଦ୍ଧତି ସମ୍ପର୍କରେ ଶିଖୁଛନ୍ତି।