ଏଇ ଭାରତରେ

ଫରିଦାବାଦର ଉପକଣ୍ଠରେ ଏକ ଏନ୍‌ଜିଓକୁ ଗଲେ ସେଠାରେ ଅନେକ ଅସହାୟ ଓ ଦିବ୍ୟାଙ୍ଗଙ୍କ ପିଲାଙ୍କୁ ଦେଖିବାକୁ ପାଇବେ। ସେମାନଙ୍କୁ ଷ୍ଟେଶନ କିମ୍ବା ବିଭିନ୍ନ ସ୍ଥାନରୁ ବୀଣା ଲାଲ୍‌ ଉଦ୍ଧାର କରି ସେଠାରେ ଶିକ୍ଷା ପ୍ରଦାନ କରୁଛନ୍ତି। ବୀଣାଙ୍କ ବୟସ ଏବେ ୫୬। ଚାଇଲ୍ଡ ଓ୍ବେଲଫେୟାର କମିଟି (ସିଡବ୍ଲ୍ୟୁସି) ସହାୟତାରେ ସେ ପିଲାଙ୍କୁ ଉଦ୍ଧାର କରୁଛନ୍ତି। ବୀଣା ୧୯୯୭ରେ ‘କର୍ମମାର୍ଗ ’ ଏନ୍‌ଜିଓ ପ୍ରତିଷ୍ଠା କରି ଏଭଳି ପିଲାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ଲାଗିଛନ୍ତି। ଦୀର୍ଘ ୨୬ ବର୍ଷ ମଧ୍ୟରେ ସେ ୧୫୦୦ ପିଲାଙ୍କୁ ଉଦ୍ଧାର କରି ଶିକ୍ଷା ଦେଇପାରିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ସ୍କୁଲରେ ନାମ ଲେଖାଇ ପଢ଼ାଇବା ବ୍ୟବସ୍ଥା କରିଥିବା ବେଳେ ଆଉ କେତେଜଣଙ୍କୁ ଏନ୍‌ଜିଓ ଗୃହରେ ଶିକ୍ଷା ଦେଉଛନ୍ତି। ୬ରୁ ୧୮ ବର୍ଷ ବୟସର ପିଲାମାନେ ତାଙ୍କ ପାଖରେ ରହିଛନ୍ତି। ସେ ତାଙ୍କ ରୋଜଗାରର ସଞ୍ଚିତ ଅର୍ଥରେ ୨ ଏକର ଜାଗା କିଣି ସେଠାରେ ପିଲାମାନଙ୍କ ପାଇଁ ରହିବା ଘର, ରୋଷେଇଘର, ପଢ଼ାଘର, ପ୍ରଶିକ୍ଷଣ ଗୃହ ଆଦି ନିର୍ମାଣ କରିଛନ୍ତି। ସେଠାରେ ପିଲାମାନଙ୍କ ଖାଦ୍ୟ ପାଇଁ ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି। ପିଲାମାନଙ୍କୁ ମଧ୍ୟ ଜୈବିକ ଚାଷ ଓ ଜଳ ସଂରକ୍ଷଣ ସମ୍ପର୍କରେ ଶିକ୍ଷା ଦେଉଛନ୍ତି।