ଏଇ ଭାରତରେ

ଭାରତରେ ଶିଶୁ ଅପପୁଷ୍ଟିକୁ ନେଇ ସବୁବେଳେ ଆଲୋଚନା ହୁଏ। ଏହାକୁ ଦୂର କରିବା ପାଇଁ ଜାତୀୟ ଓ ରାଜ୍ୟ ସ୍ତରରେ ମଧ୍ୟ ଅନେକ ଯୋଜନା ଲାଗୁ କରାଯାଇଛି। ତଥାପି ଶିଶୁ ଅପପୁଷ୍ଟି ଦୂର କରିବାରେ ଅଶାନୁରୂପ ସଫଳତା ମିଳିପାରୁନାହିଁ। ତେବେ ଏ କ୍ଷେତ୍ରରେ ଆଇଏଏସ୍‌ ଅଧିକାରୀ ଶୁଭମ୍‌ ଗୁପ୍ତା ନେଉଥିବା ପଦକ୍ଷେପ ନିଶ୍ଚୟ ଉତ୍ସାହପ୍ରଦ। ଶୁଭମ୍‌ ଇଟାପଲ୍ଲୀର ଆସିଷ୍ଟାଣ୍ଟ କଲେକ୍ଟର ଅଛନ୍ତି। ସେ ମହାରାଷ୍ଟ୍ରର ଟୋଡ୍‌ସା ଆଶ୍ରମ ସ୍କୁଲର ପିଲାଙ୍କ ଅପପୁଷ୍ଟି ଦେଖି ତାହାକୁ ଦୂର କରିବା ଲାଗି ଏଆଇ ବା କୃତ୍ରିମ ବୁଦ୍ଧିମତ୍ତାର ସାହାଯ୍ୟ ନେଉଛନ୍ତି। ଏହି ସ୍କୁଲରେ ୨୨୨ ଝିଅଙ୍କ ମଧ୍ୟରେ ୬୧ ଜଣ ଅପପୁଷ୍ଟିର ଶିକାର ହୋଇଥିବା ଜଣାପଡ଼ିବା ପରେ ସେଠାରେ ପିଲାଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ପରଖିବା ଲାଗି ଏଆଇ ମେଶିନ ଲଗାଇଛନ୍ତି। ପିଲାମାନେ ଖାଦ୍ୟଥାଳି ଧରି ଏଆଇ ମେଶିନ ଆଗରେ ଠିଆ ହେଉଛନ୍ତି ଓ ଖାଦ୍ୟର ମାନ ଜଣାପଡ଼ୁଛି। ଶୁଭମ୍‌ ଏହି ମେଶିନକୁ ଅକ୍ଟୋବର ୨୦୨୨ରେ ଲଗାଇଥିଲେ। ଏହି ଉପାୟ ଅବଲମ୍ବନ କରାଯିବା ପରେ ବର୍ତ୍ତମାନ ଅପପୁଷ୍ଟିର ଶିକାର ହୋଇଥିବା ପିଲାଙ୍କ ସଂଖ୍ୟା ୬୧ରୁ ୨୦କୁ ଖସିଆସିଛି।