ଏଇ ଭାରତରେ

ସମାଜ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ଏକ ଏନ୍‌ଜିଓରେ ଭଲ ଦରମାରେ ଚାକିରି କରିଥିଲେ କେରଳ ଏର୍ନାକୁଲମ ନିବାସୀ ଜିତୁ ଥୋମାସ୍‌। ଚାକିରି ଛାଡ଼ି ଏବେ ସେ ଛତୁଚାଷ କରି ଦିନକୁ ୪୦,୦୦୦ ଅର୍ଥାତ୍‌ ମାସକୁ ପାଖାପାଖି ୧୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଏହି କାର୍ଯ୍ୟରେ ତାଙ୍କ ମା’ ଲିନା ତାଙ୍କୁ ସହଯୋଗ କରୁଛନ୍ତି। ଜିତୁ କୁମାରକୋମ୍‌ କୃଷି ବିଜ୍ଞାନ କେନ୍ଦ୍ରରୁ ଛତୁଚାଷ ସମ୍ପର୍କରେ ପ୍ରଶିକ୍ଷଣ ନେବା ପରେ ଏହି ଚାଷ ଆରମ୍ଭ କରିଥିଲେ। ପ୍ରଥମେ ଘରର ଏକ କୋଣରେ ଅଳ୍ପ ଜାଗାରେ ଓ ଏବେ ୫,୦୦୦ ବର୍ଗଫୁଟ ପରିମିତ ଜାଗାରେ ଚାଷ କରିବା ସହ ଲିନା ମସ୍‌ରୁମ୍‌ ଫାର୍ମା ପ୍ରତିଷ୍ଠା କରିଛନ୍ତି। ଦିନକୁ ୧୦୦ କେଜି ଛତୁ ଉତ୍ପାଦନ କରୁଛନ୍ତି। ଏହାସହ ନିଜ ଲାବ୍‌ରେ ଛତୁମଞ୍ଜି ମଧ୍ୟ ପ୍ରସ୍ତୁତ କରି ସେଥିରୁ ଲାଭ ପାଉଛନ୍ତି। ଏହି ଚାଷ ସମ୍ପୂର୍ଣ୍ଣ ବୈଜ୍ଞାନିକ ପଦ୍ଧତିରେ କରାଯାଉଛି। ଯେତିକି ଜାଗାରେ ୫ ହଜାର ବେଡ୍‌ ରହିବା କଥା ସେତିକିରେ ସେ ୨୦,୦୦୦ ବେଡ୍‌ ରଖିଛନ୍ତି। ଏଣୁ କମ୍‌ ଖର୍ଚ୍ଚରେ ଅଧିକ ଲାଭ ମିଳୁଛି। ଛତୁକୁ ପ୍ୟାକେଟ୍‌ କରି ତାହାକୁ ୩୦ କି.ମି. ଭିତରେ ଥିବା ମାର୍କେଟ୍‌ଗୁଡ଼ିକରେ ବିକ୍ରିର ବ୍ୟବସ୍ଥା କରିଛନ୍ତି।