ଏଇ ଭାରତରେ

ଅସହାୟ, ଗୃହହୀନ ଓ ଅନାଥଙ୍କ ସାହାରା ପାଲଟିଛନ୍ତି ବେଙ୍ଗାଲୁରୁର ଟ୍ରାନ୍ସଜେଣ୍ଡର ନକ୍ଷତ୍ର। ସେ ଏବେ ୧୫୦ ଜଣଙ୍କୁ ଆଶ୍ରୟ ଦେଇଛନ୍ତି। ନକ୍ଷତ୍ର ଯେତେବେଳେ ଜଣେ ଟ୍ରାନ୍ସଜେଣ୍ଡର ବୋଲି ଚିହ୍ନଟ ହେଲେ ସେତେବେଳେ ତାଙ୍କ ପରିବାର ତାଙ୍କୁ ଘରୁ ବାହାରିଯିବାକୁ ବାଧ୍ୟ କରିଥିଲେ। ଏଭଳି ଅବସ୍ଥାରେ ସେ ଘରୁ ବାହାରି ଆସି ରାସ୍ତାରେ ମାସ ମାସ ଧରି ଜୀବନ ବିତାଇଛନ୍ତି। ସେହି ଅନୁଭବ ତାଙ୍କୁ ଅସହାୟଙ୍କୁ ଆଶ୍ରୟ ଦେବା ଲାଗି ପ୍ରେରିତ କରିଛି। ସେଥିପାଇଁ ନକ୍ଷତ୍ର ଏବେ ରାସ୍ତାରେ ଥିବା ଅସହାୟ, ଦିବ୍ୟାଙ୍ଗ, ଗୃହହୀନ ତଥା ଅନାଥ ପିଲାଙ୍କ ଆଶାବାଡ଼ି ପାଲଟିଛନ୍ତି। ସେ ‘ନମନେ ସୁମନେ’ ଏନ୍‌ଜିଓ ପ୍ରତିଷ୍ଠା କରି ତା’ ମାଧ୍ୟମରେ ଏହି କାର୍ଯ୍ୟ ପରିଚାଳନା କରୁଛନ୍ତି। ଏବେ ପ୍ରାୟ ୧୦୦ ସ୍ବେଚ୍ଛାସେବୀ ନକ୍ଷତ୍ରଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ଏମାନଙ୍କ ସହାୟତାରେ ଆଶ୍ରୟସ୍ଥଳୀରେ ଥିବା ଅନ୍ତେବାସୀଙ୍କୁ ଖାଦ୍ୟ, ବସ୍ତ୍ର ତଥା ଆବଶ୍ୟକ ଚିକିତ୍ସା ଯୋଗାଉଛନ୍ତି। ଘରୁ ବାହାରି ଆସିବା ପରେ ନକ୍ଷତ୍ର ନିଜସ୍ବ ଉଦ୍ୟମରେ ପଢ଼ି ମେକାନିକାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଛନ୍ତି। ଶିକ୍ଷାଗତ ଯୋଗ୍ୟତା ଯୋଗୁ ସେ ଏହି ସେବାକୁ ସୁଚାରୁରୂପେ ତୁଲାଇବାରେ ସକ୍ଷମ ହୋଇଛନ୍ତି। ସମ୍ପୂର୍ଣ୍ଣ କାର୍ଯ୍ୟ ଲୋକମାନଙ୍କ ଅନୁଦାନରେ ହିଁ ଚାଲୁଛି।