ଏଇ ଭାରତରେ

ପୁରୁଷପ୍ରଧାନ କର୍ମଭୂମିରେ ମହିଳାଙ୍କ ଦକ୍ଷତା ପ୍ରଦର୍ଶନ କିଛି କମ୍‌ କଥା ନୁହେଁ, ଯେମିତି କରୁଛନ୍ତି ଆସାମର ମହିଳା ମାହୁନ୍ତ ପାର୍ବତୀ ବରୁଆ। ସେ ଭାରତର ପ୍ରଥମ ମହିଳା ମାହୁନ୍ତ ଯିଏ ସାରା ଜୀବନ ପଥଭ୍ରଷ୍ଟ ହାତୀଦଳକୁ ବାଟ କଢ଼ାଇନେବା କିମ୍ବା ଆହତ ହାତୀଙ୍କୁ ଉଦ୍ଧାରରେ ନିଜକୁ ସମର୍ପିତ କରିଛନ୍ତି। ପାର୍ବତୀ ଗୌରିପୁର ରାଜବଂଶର ଶେଷ ଦାୟାଦ ପ୍ରକୃତିଶ ଚନ୍ଦ୍ର ବରୁଆଙ୍କ କନ୍ୟା। ସେ ୧୪ ବର୍ଷ ବୟସରେ କୋକ୍ରାଝର ଜିଲା କାଚୁଗାଁଓ ଜଙ୍ଗଲରେ ପ୍ରଥମ ହାତୀ ଧରିବା ପରେ ଆଉ ଅଟକି ନାହାନ୍ତି। ସେ ୧୯୭୨ରେ ମାହୁନ୍ତ ହୋଇ ହାତୀ ଉଦ୍ଧାର କାର୍ଯ୍ୟ କରିଆସୁଛନ୍ତି। ତାଙ୍କ ପାଖରେ ଏବେ ୩ଟି ହାତୀ ଅଛନ୍ତି। ସେମାନଙ୍କ ନାମ ହେଉଛି ଲକ୍ଷ୍ମୀମାଳା, ଆଲୋକ ଓ କାଞ୍ଚନମାଳା। ଏମାନଙ୍କ ସହାୟତାରେ ଅନ୍ୟ ମହୁନ୍ତମାନଙ୍କୁ ସାଥିରେ ନେଇ ସେ ଆସାମ, ବିହାର ଓ ପଶ୍ଚିମବଙ୍ଗରେ ଉଗ୍ର ହାତୀଙ୍କୁ ଶାନ୍ତ କରିବା ସହ ଆହତଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି। ଏଭଳି ଦୁଃସାହସିକ କାର୍ଯ୍ୟ ପାଇଁ ତାଙ୍କୁ ‘ହସ୍ତି କନ୍ୟା’ ବୋଲି ସମ୍ବୋଧନ କରାଯାଉଛି। ଆଧୁନିକ ଜୀବନଶୈଳୀରୁ ଦୂରେଇଯାଇ ହାତୀଙ୍କ ନିକଟରେ ଏକ ଟେଣ୍ଟରେ ରହୁଛନ୍ତି ପାର୍ବତୀ।