ଏଇ ଭାରତରେ

ଜଣେ ଗାଉଁଲି ମହିଳା ଅନେକ ଲକ୍ଷ ଲୋକଙ୍କୁ ଇଂଲିଶ ଶିକ୍ଷା ଦେଉଥିବା କଥା ବିଶ୍ୱାସ ହେଉ ନ ଥିଲେ ବି ସତ। ଏହି ମହିଳା ହେଉଛନ୍ତି ଉତ୍ତରପ୍ରଦେଶର ଯଶୋଦା ଲୋଧି। ସେ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ ‘ଇଂଲଶ ଓ୍ବିଥ୍‌ ଦେହତି ମାଡାମ’ ମାଧ୍ୟମରେ ସ୍ପୋକନ ଇଂଲିଶ ଶିକ୍ଷା ଦେଉଛନ୍ତି। ଯଶୋଦା ଦ୍ୱାଦଶ ପାସ୍‌ କରିଛନ୍ତି। ତାଙ୍କ ସ୍ବାମୀ ଦୁର୍ଘଟଣାଗ୍ରସ୍ତ ହୋଇ କାମ କରିପାରୁ ନ ଥିବାରୁ କୋଭିଡ୍‌ ମହାମାରୀ ସମୟରେ ଆର୍ଥିକ ଅଭାବରେ ଥିବା ପରିବାରର ବୋଝ ଯଶୋଦଙ୍କ ଉପରେ ପଡ଼ିଥିଲା ।
ଏହି ପରିସ୍ଥିତିରେ ସେ ଭିଡିଓ ପ୍ରସ୍ତୁତ କରି ସେଥିରୁ କିଛି ଆୟ କରିବାକୁ ଚିନ୍ତା କରିଥିଲେ। ଧୀରେ ଧୀରେ ବିଭିନ୍ନ ଭିଡିଓ ପ୍ରସ୍ତୁତ କରିବା ଆରମ୍ଭ କଲେ । ପରେ ୟୁଟ୍ୟୁବ୍‌ ଚାନେଲ ‘ଇଂଲିଶ ଓ୍ବିଥ୍‌ ଦେହତି ମାଡାମ’ ଆରମ୍ଭ କରି ସ୍ପୋକନ ଇଂଲିଶ ଓ ଗ୍ରାମାର ଶିକ୍ଷା ଦେବାକୁ ଲାଗିଲେ। ଏବେ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲକୁ ପାଖାପାଖି ୩ କୋଟିରୁ ଅଧିକ ଲୋକ ଦେଖିସାରିଲେଣି ଏବଂ ଏଥିରୁ ସେ ମାସକୁ ୮୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ରୋଜଗାର କରିପାରୁଛନ୍ତି। ଯଶୋଦାଙ୍କୁ ତାଙ୍କ ସଫଳତା ବିଷୟରେ ପଚାରିଲେ କହନ୍ତି – ଗାଉଁଲି ମହିଳା ବୋଲି ତା’ ମାନେ ନୁହେଁ ଯେ ମୁଁ ଇଂଲିଶ କହିପାରିବି ନାହିଁ।