ଏଇ ଭାରତରେ

ଖାଦ୍ୟର କୌଣସି ବାଛବିଚାର ନାହିଁ, ତାହା କେବଳ ଅନ୍ୟର ଭୋକ ମେଣ୍ଟାଇ ଖୁସି ଦେଇଥାଏ ବୋଲି କହନ୍ତି କୋଏମ୍ବାଟୁର୍‌ର ଟ୍ରାନ୍ସଓମ୍ୟାନ୍‌ ସଙ୍ଗୀତା। ଏବେ ତାଙ୍କୁ ବୟସ ୬୦। ସଙ୍ଗୀତା କ୍ୟାଟରିଂ ସର୍ଭିସ ଦୀର୍ଘ ୬ ବର୍ଷ ହେବ ଚଳାଇ ଆସୁଛନ୍ତି। ପ୍ରତିଦିନ ୩୦୦ରୁ ଊର୍ଦ୍ଧ୍ୱ ଗରିବଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି। ଟ୍ରାନ୍ସଜେଣ୍ଡର ସମାଜରେ ସେ ନିଜକୁ ସଶକ୍ତ କରିବାକୁ ସଂଗ୍ରାମ କରିଛନ୍ତି। ତାଙ୍କର ନା ଥିଲା ଘର ନା ଖାଦ୍ୟ। ଭୋକିଲା ପେଟର ଜ୍ୱାଳା ସହିଛନ୍ତି ଓ ଏହା ଆଉ କାହା ଜୀବନରେ ନ ଆସୁ ବୋଲି କହନ୍ତି ସଙ୍ଗୀତା। ଏଣୁ ସେ ଏହି କ୍ୟାଟରିଂ ସର୍ଭିସ ମାଧ୍ୟମରେ କୋଭିଡ୍‌-୧୯ ମହାମାରୀ ସମୟରେ ଭିକାରି, ଦିନମଜୁରିଆ ଓ ବାସହୀନମାନଙ୍କୁ ଦୈନିକ ଖାଇବାକୁ ଦେଉଛନ୍ତି। ସେ ତାଙ୍କ ସଞ୍ଚିତ ଟଙ୍କାରୁ ଖର୍ଚ୍ଚ କରି ଏହାକୁ ପ୍ରଥମେ ଆରମ୍ଭ କରିଥିଲେ। ଏବେ ବଦାନ୍ୟ ବ୍ୟକ୍ତିମାନଙ୍କଠାରୁ ପାଣ୍ଠି ସଂଗ୍ରହ କରୁଛନ୍ତି। କିଛି ବ୍ୟକ୍ତିଙ୍କ ସହ ଟ୍ରାନ୍ସଜେଣ୍ଡର ସମାଜର ସମାନ ଚିନ୍ତାଧାରା ସମ୍ପନ୍ନ କେତେଜଣଙ୍କ ସାହାଯ୍ୟରେ ଏହି ସେବା କରୁଛନ୍ତି। ସେମାନଙ୍କ ସହ ସଙ୍ଗୀତା ସହରର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି। କେବଳ ଏତିକି ନୁହେଁ, ଏହି ସମୟରେ ସେ ୩୦ ପରିବାରକୁ ୧,୦୦୦ ଟଙ୍କାର ଗ୍ରୋସରି ପ୍ୟାକେଟ୍‌ ବି ଦେଇଛନ୍ତି। ଏରୋଡର ଏକ ଛୋଟ ଗାଁ ବନ୍ନରୀରେ କୃଷକ ପରିବାରରେ ତାଙ୍କ ଜନ୍ମ। ୧୯୮୫ରେ ୨୫ ବର୍ଷ ବୟସରେ ସେ ଘର ଛାଡ଼ି କୋଏମ୍ବାଟୁର୍‌ ଚାଲି ଆସିଥିଲେ। ପରେ ଟ୍ରାନ୍ସଜେଣ୍ଡର ଗୋଷ୍ଠୀରେ ସାମିଲ ହୋଇଥିଲେ। କୋଏମ୍ବାଟୁର୍‌ର ଅବିନାଶିଲିଙ୍ଗମ୍‌ ବଶ୍ୱଦ୍ୟାଳୟରୁ କ୍ୟାଟରିଂ କୋର୍ସ ଶେଷ କରିବା ପରେ ୩ ଲକ୍ଷ ଟଙ୍କା ଋଣ ଆଣି ୨୦୧୪ରେ ବ୍ୟବସାୟ ଆରମ୍ଭ କରି ବରିଷ୍ଠ ନାଗରିକଙ୍କ ପାଇଁ ରେଷେଇ ଆରମ୍ଭ କରିଥିଲେ। ପରେ ବାହାଘର କିମ୍ବା ଅନ୍ୟ ଘରୋଇ ଉତ୍ସବ ଲାଗି ରୋଷେଇ ଆରମ୍ଭ କରି ମାସକୁ ଅତି କମରେ୍‌ ୫ଟି ଅର୍ଡର ପାଉଛନ୍ତି। ଏଥିରେ ବହୁ ଟ୍ରାନ୍ସଜେଣ୍ଡରଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି। ଏହାବାଦ୍‌ ସେ ୫୦ ଜଣ ଟ୍ରାନ୍ସଜେଣ୍ଡରଙ୍କୁ କଲେଜରେ କ୍ୟାଟରିଂ ପ୍ରଶିକ୍ଷଣ ନେବା ପାଇଁ ସାହାଯ୍ୟ କରିଛନ୍ତି। ଏକ ସ୍ବୟଂ ସହାୟିକା ଗୋଷ୍ଠୀ ଗଠନ କରି ଟ୍ରାନ୍ସଜେଣ୍ଡରମାନଙ୍କୁ ବ୍ୟବସାୟ କରିବାର ବାଟ ଦେଖାଉଛନ୍ତି।