ଏଇ ଭାରତରେ

ମଧ୍ୟପ୍ରଦେଶର ଜଣେ ଶିକ୍ଷକଙ୍କ ଉଦ୍ୟମରେ ଏକ ସ୍କୁଲର କଳେବର ପୂରା ବଦଳିଯାଇଛି। ରାଜଗଡ଼ର ମୋହନପୁର କଲୋନୀରେ ଥିବା ଇଣ୍ଟିଗ୍ରେଟେଡ ମିଡିଲ ସ୍କୁଲର ଶିକ୍ଷକ ଗୋପାଳ ବାଲଓ୍ବାଲାଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଗୋପାଳ ତାଙ୍କ ସଞ୍ଚିତ ଟଙ୍କାରୁ ଖର୍ଚ୍ଚକରି ସ୍କୁଲରେ ରଙ୍ଗ ଦେବାଠାରୁ ଆରମ୍ଭ କରି ଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି। ଏହା ବ୍ୟତୀତ ସେ ଏକ ଲାଇବ୍ରେରି ଓ ବଗିଚା ମଧ୍ୟ କରିପାରିଛନ୍ତି। ଏସବୁ କାର୍ଯ୍ୟ ପାଇଁ ସେ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ମୋହନପୁର ଡ୍ୟାମ୍‌ ନିର୍ମାଣ ସମୟରେ ବିସ୍ଥାପିତଙ୍କ ପାଇଁ ମୋହନପୁର କଲୋନୀ କରାଯାଇ ସେଠାରେ ଏହି ସ୍କୁଲ ଖୋଲାଯାଇଥିଲା। ହେଲେ ସ୍କୁଲର ରକ୍ଷଣାବେକ୍ଷଣ ପ୍ରତି କାହାରି ଦୃଷ୍ଟି ନ ଥିଲା। ଏଠାରେ ମାତ୍ର ୨୩ ଜଣ ପିଲା ପଢୁଥିଲେ। ୨୦୧୮ରେ ଗୋପାଳ ଭାଲଓ୍ବାଲ ସ୍କୁଲରେ ଶିକ୍ଷକ ଭାବେ ଯୋଗଦେବା ପରେ ତାହାର ଅବସ୍ଥାରେ ପରିବର୍ତ୍ତନ ହେବା ଆରମ୍ଭ କରିଥିଲା। ସ୍କୁଲକୁ ଆକର୍ଷଣୀୟ କରିବା ପରେ ଏବେ ସେଠାରେ ୧୦୦ରୁ ଅଧିକ ପିଲା ପଢୁଛନ୍ତି। ଗୋପାଳଙ୍କ ଦ୍ୱାରା କରାଯାଇଥିବା ଲାଇବ୍ରେରିରେ ୨୦୦୦ରୁ ଊର୍ଦ୍ଧ୍ୱ ବହି ରହିଛି।