ଏଇ ଭାରତରେ

ଘର କାନ୍ଥରେ ଯେମିତି ଟିଭି ଲଗାଉଛନ୍ତି ଠିକ୍‌ ସେମିତି ଏବେ ଏକ ଜିମ୍‌ ସେଟ୍‌ କରିପାରିବେ। ଦିଲ୍ଲୀ ଆଇଆଇଟିର ୪ ଜଣ ଇଞ୍ଜିନିୟରଙ୍କ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଅମନ ରାୟ, ଅନୁରାଗ ଦାନୀ, ରୋହିତ ପଟେଲ ଏବଂ ଅମନ ଜର୍ଜ ଏହି ମେଶିନ ତିଆରି କରିଛନ୍ତି। ଏହାର ନାମ ଏରୋଲିପ ଏକ୍ସ। ଏହାକୁ କାନ୍ଥରେ ୪ x୨ ଫୁଟ ଜାଗାରେ ସେଟ୍‌ କରାଯାଇପାରୁଛି। କୋଭିଡ୍‌ ସମୟରେ ଘରେଥିବାବେଳେ ସେମାନେ ଏହି ମେଶିନ ତିଆରି କରିବାକୁ ଚାହଁିଥିଲେ। ସେ ସମୟରେ ବ୍ୟାୟାମ କରିବାକୁ ଘରେ ଜିମ୍‌ ସେଟ୍‌ଅପ୍‌ କରିବା ଲାଗି ମାର୍କେଟରେ କୌଣସି ସହଜ ପଦ୍ଧତି ଉପଲବ୍ଧ ନ ଥିଲା। ଏଣୁ ସେମାନେ ଘରେ କମ୍‌ ଜାଗାରେ କେମିତି ଜିମ୍‌ କରାଯାଇପାରିବ ସେ ସମ୍ପର୍କରେ ଗବେଷଣା କରିବାକୁ ଲାଗିଲେ ଓ ୨ ବର୍ଷ ପରେ ସଫଳତା ବି ପାଇଲେ। ବଡ଼ ଜିମ୍‌ରେ ଯେଉଁସବୁ ବ୍ୟାୟାମ କରାଯାଇପାରୁଛି ସେ ସବୁ ଏରୋଲିପ ଏକ୍ସରେ ସମ୍ଭବ ହେଉଛି। ଏଥିରେ କମ୍‌ ଜାଗାରେ ପାଖାପାଖି ୧୫୦ରୁ ଅଧିକ ପ୍ରକାର ବ୍ୟାୟାମ ସମ୍ଭବ ହେଉଛି। ଏହି ମେଶିନ ଡିଜିଟାଲ ଓ୍ବେଟ ଟେକ୍ନୋଲୋଜି ଉପରେ ଆଧାରିତ ଓ ଏହା ଭାରତରେ ପେଣ୍ଟେଟ ପାଇଛି। ଏବେ ସୁଦ୍ଧା ୨୦ଟି ସହରରେ ୩୦୦ଟି ହୋମ୍‌ ଜିମ୍‌ ପ୍ରତ୍ୟେକକୁ ୧.୬୯ ଲକ୍ଷ ଟଙ୍କାରେ ବିକ୍ରି କରିସାରିଲେଣି।