ଏଇ ଭାରତରେ

କୃଷକଙ୍କ ହିତ ପାଇଁ ଯେଉଁ କେତେଜଣ କାର୍ଯ୍ୟ କରୁଛନ୍ତି ସେମାନଙ୍କ ମଧ୍ୟରେ ହରିୟାଣାର ନିଶା ସୋଲାଙ୍କି ଅନ୍ୟତମ। ନିଶା ହରିୟାଣାର ପ୍ରଥମ ଡ୍ରୋନ୍‌ ପାଇଲଟ୍‌। ସେ ମହାରଣା ପ୍ରତାପ ବିଶ୍ୱବିଦ୍ୟାଳୟ ସହିତ ମିଶି କୃଷକମାନଙ୍କୁ ଡ୍ରୋନ୍‌ ଉଡାଣ ସମ୍ପର୍କରେ ପ୍ରଶିକ୍ଷଣ ଦେଉଛନ୍ତି। କୃଷକମାନେ ଏହି ପ୍ରଶିକ୍ଷଣ ପାଇ ଡ୍ରୋନ୍‌ ମାଧ୍ୟମରେ କୀଟନାଶକ ସ୍ପ୍ରେଠାରୁ ଆରମ୍ଭ କରି ଅନ୍ୟ ସବୁ କାର୍ଯ୍ୟ ସହଜରେ କରିପାରୁଛନ୍ତି। କୀଟନାଶକ ସ୍ପ୍ରେ ଯେଉଁଠି ୧ ଘଣ୍ଟା ଲାଗିବା କଥା ସେ କ୍ଷେତ୍ରରେ ଡ୍ରୋନ୍‌ ମାଧ୍ୟମରେ ମାତ୍ର କିଛି ମିନିଟ୍‌ରେ ହୋଇପାରୁଛି। ପାରମ୍ପରିକ ପଦ୍ଧତିରେ ଯେଉଁଠି ୨୦୦ ଲିଟର ପାଣି କୀଟନାଶକ ସ୍ପ୍ରେ ପାଇଁ ଦରକାର ସେଠାରେ ମାତ୍ର ୧୦ ଲିଟର ପାଣିରେ ସମାନ ପରିମାଣ ଜମିରେ ଏହା ସ୍ପ୍ରେ ହୋଇପାରୁଛି। ଏହା ସହ କୃଷକମାନଙ୍କୁ ସ୍ବାସ୍ଥ୍ୟଗତ ପ୍ରଭାବରୁ ବି ମୁକ୍ତ କରାଯାଉଛି। ନିଶା ଜଣେ ଏଗ୍ରିକଲ୍‌ଚର ଇଞ୍ଜିନିୟର। ସେ ଶିକ୍ଷା ଶେଷ ପରେ ଡ୍ରୋନ୍‌ ପାଇଲଟିଂ ପ୍ରଶିକ୍ଷଣ ନେଇ ଏହି କାର୍ଯ୍ୟ ଆରମ୍ଭ କରିଥିଲେ। ଏବେ ସେ ହରିୟାଣାର ପ୍ରାୟ ସବୁ ଜିଲାରେ ତାଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚଳାଉଛନ୍ତି।