ଏଇ ଭାରତରେ

ମାନବ ଚାଲାଣ ଏବେ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏହା ଆନ୍ତଃରାଜ୍ୟରୁ ଆରମ୍ଭ କରି ଅନ୍ତର୍ଦ୍ଦେଶୀୟ ସ୍ତର ଯାଏ ସକ୍ରିୟ ହୋଇ ରହିଛି। ପୋଲିସ ଏମାନଙ୍କୁ ଉଦ୍ଧାର କରୁଥିବାବେଳେ ଜଣେ ସାହସୀ ବ୍ୟକ୍ତି ଚାଲାଣର ଶିକାର ହୋଇଥିବା ୧୫୦୦ ପିଲାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି। ବ୍ୟକ୍ତି ଜଣକ ହେଉଛନ୍ତି ରାଜୁ ନେପାଳି। ପଶ୍ଚିମବଙ୍ଗ ନିବାସୀ ରାଜୁ ୨୦୦୭ରେ ପ୍ରତିଷ୍ଠା କରିଥିବା ଏନ୍‌ଜିଓ ‘ଡୁରାସ ଏକ୍ସପ୍ରେସ୍‌ ମେଲ’ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ଏହି ଏନ୍‌ଜିଓ ରାଜୁ ଏବଂ ମାନବ ଚାଲାଣ ବିରୋଧୀ କର୍ମକର୍ତ୍ତା ରଙ୍ଗୁ ସୌରିୟା ଓ ନିର୍ଣ୍ଣୟ ଜନ୍‌ଙ୍କ ସହଭାଗିତାରେ ଚାଲିଛି। ଚାଲାଣ କରାଯାଇଥିବା ପିଲାଙ୍କୁ ଉଦ୍ଧାର କରିବା ସହ ସେମାନଙ୍କର କାଉନ୍‌ସିଲିଂ ମଧ୍ୟ କରାଉଛନ୍ତି। ଏହା ସହ ରାଜୁ ପଶ୍ଚିମବଙ୍ଗରେ ମାନବ ଚାଲାଣ ବିରୋଧରେ ସଚେତନତା ସୃଷ୍ଟି କରିବାରେ ଲାଗିଛନ୍ତି। ଶିଶୁଙ୍କୁ ଉଦ୍ଧାର କରିବା ଲାଗି ସେ ଏକ ହ୍ବାଟ୍ସ ଆପ୍‌ ଗ୍ରୁପ ‘ଷ୍ଟପ୍‌ ଇଫ୍‌ ୟୁ କ୍ୟାନ୍‌’ ଆରମ୍ଭ କରିଛନ୍ତି। ଏଥିରେ ସେ ଭାରତ ସମେତ ନେପାଳ, ଭୁଟାନ ଓ ବାଂଲାଦେଶର ୨୫୦ରୁ ଊର୍ଦ୍ଧ୍ୱ ସାମ୍ବାଦିକ, ପୋଲିସ, ଆଇନଜୀବୀ ଓ ଆକ୍ଟିଭିଷ୍ଟଙ୍କୁ ସାମିଲ କରିଛନ୍ତି। ଚାଲାଣ ହୋଇଥିବା ପିଲାକୁ ଠାବ କରିବା ପରେ ଏମାନେ ନିକଟସ୍ଥ ରେଲଓ୍ବେ ଷ୍ଟେଶନ ଓ ପୋଲିସ ଷ୍ଟେଶନକୁ ଅବଗତ କରିଦିଅନ୍ତି। ଗ୍ରୁପର ଏଭଳି ତପତ୍ରତା ଯୋଗୁ ପିଲାଟିକୁ ଶୀଘ୍ର ଉଦ୍ଧାର କରାଯାଇପାରୁଛି।