ଏଇ ଭାରତରେ

କିଛି ପ୍ରାଣୀଙ୍କ ଚମଡ଼ାରୁ ଜୋତା ତିଆରି ହୁଏ ଏକଥା ସମସ୍ତେ ଜାଣନ୍ତି। ହେଲେ ମଣିଷ ଶରୀରର ଚମଡ଼ାରୁ ଜୋତା ତିଆରି କରିବା କଥା କେହି ଚିନ୍ତା କରି ନ ଥିବେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଉଜ୍ଜୟିନୀରେ। ଏଠାରେ ରୌନକ ଗୁଜାର ନାମକ ବ୍ୟକ୍ତି ନିଜ ଦେହର ଚର୍ମରେ ଜୋତା ତିଆରି କରି ମାଆଙ୍କୁ ଉପହାର ଦେଇଛନ୍ତି। ରୌନକଙ୍କ ଏଭଳି ଚିନ୍ତାଧାରା ସୃଷ୍ଟି ହୋଇଥିଲା ଯେତେବେଳେ ସେ ଉଜ୍ଜୟିନୀର ସନ୍ଦିପନୀନଗରରେ ଅନୁଷ୍ଠିତ ୭ଦିନିଆ ଭାଗବତ କଥା ଶୁଣିଥିଲେ। ଏହାପରେ ସେ ରାମାୟଣର ଚରିତ୍ର ପ୍ରଭୁ ରାମଙ୍କ ବ୍ୟକ୍ତିତ୍ୱରେ ଏତେ ପ୍ରଭାବିତ ହୋଇଥିଲେ ଯେ ମା’ବାପାଙ୍କ ପାଇଁ ତାଙ୍କ ମନରେ ପ୍ରବଳ ଭକ୍ତିଭାବ ଜାଗ୍ରତ ହୋଇଥିଲା। ତେଣୁ ସେ ମା’ବାପାଙ୍କ ପାଇଁ ଯଥା ସମ୍ଭବ ସବୁକିଛି କରିବାକୁ ଚାହୁଁଥିଲେ। ଅନ୍ୟପକ୍ଷରେ ତାଙ୍କ ଗୋଡରେ ପୋଲିସ ଗୁଳି ବାଜିଥିବାରୁ ତାଙ୍କୁ ନିଜ ଜଙ୍ଘ ଅପରେଶନ କରିବାର ଥିଲା। ଏହି ସୁଯୋଗରେ ସେ ତାଙ୍କ ଜଙ୍ଘରୁ କିଛି ଚମଡା କାଢି ଜଣେ ମୋଚିକୁ ଦେଇ ଏକ ଜୋତା ତିଆରି କରିଥିଲେ। ସେହି ଜୋତାଟିକୁ ସେ ତାଙ୍କ ମା’ଙ୍କୁ ଦେଇ ଅତି ଆନନ୍ଦିତ ହୋଇ ପଡିଥିଲେ। ରୌନକଙ୍କ ମା’ ମଧ୍ୟ ପୁଅଠାରୁ ଏଭଳି ଏକ ଉପହାର ପାଇ ଅତ୍ୟନ୍ତ ଭାବବିହ୍ବଳ ହୋଇଯାଇଥିଲେ। ଏବେ ସୋସିଆଲ ମିଡିଆରେ ଏହି ଖବର ପ୍ରସାରିତ ହେବା ପରେ ଲୋକଙ୍କୁ ଖୁବ୍‌ ପ୍ରଭାବିତ କରିପାରିଛି।