ଏଇ ଭାରତରେ

ବିହନ ଭଲ ହେଲେ ଅମଳ ଭଲ ହୋଇଥାଏ। ଏଥିପାଇଁ ଯେ କୌଣସି ଚାଷରେ ବିହନର ଗୁରୁତ୍ୱ ରହିଛି, ଯାହା ଉପଲବ୍ଧି କରିଛନ୍ତି ଆସାମର ମହାନ ଚନ୍ଦ୍ର ବୋରା। ସେ ଏକ ରାଇସ ଲାଇବ୍ରେରି କରିଛନ୍ତି ଓ ସେଥିରେ ୫୦୦ରୁ ଊର୍ଦ୍ଧ୍ୱ ପାରମ୍ପରିକ ଧାନ ବିହନ ରଖିଛନ୍ତି। କେବଳ ଏତିକି ନୁହେଁ, ସାରା ଦେଶରେ ଚାଷୀମାନଙ୍କୁ ସେ ମାଗଣାରେ ବିହନ ଦେଉଛନ୍ତି। ଏହି ଲାଇବ୍ରେରିକୁ ସେ ତାଙ୍କ ପିତାଙ୍କ ସ୍ମୃତିରେ ପ୍ରତିଷ୍ଠା କରିଛନ୍ତି। ତାଙ୍କ ପିତା କେମିକାଲମୁକ୍ତ ଚାଷ କରିବା ଲାଗି ସବୁବେଳେ ତାଙ୍କୁ ପରାମର୍ଶ ଦେଉଥିଲେ ଓ ସେ ତାହାକୁ ଆଧାର କରି ଚାଷ ମଧ୍ୟ ଆରମ୍ଭ କରିଥିଲେ। ବୋରା ଚାଷ କରିବା ସହ ଦେଶୀ ବହନ ସଂରକ୍ଷଣ କରିବାରେ ଲାଗିଗଲେ। ତାଙ୍କ ପିତାଙ୍କ ଦେହାନ୍ତ ପରେ ବୋରା ଅନ୍ନପୂର୍ଣ୍ଣା ରାଇସ୍‌ ଲାଇବ୍ରେରି ଆରମ୍ଭ କରିଥିଲେ। ତାଙ୍କର ଜଣେ ସାଙ୍ଗଙ୍କ ସହ ବିଭିନ୍ନ ଗାଁକୁ ଯାଇ ସେ ୫୦୦ରୁ ଅଧିକ ଧାନ ବିହନ ସଂଗ୍ରହ କରିପାରିଛନ୍ତି। କେବଳ ଏତିକି ନୁହେଁ, ବହୁ ପରିବା ବିହନ ମଧ୍ୟ ସଂରକ୍ଷିତ କରି ରଖିଛନ୍ତି। ୨୦୦୮ରେ ସେ ଏହି ବିହନ ବ୍ୟାଙ୍କ ଗଠନ କରିଥିଲେ। ସେ ମଧ୍ୟ ଏକ ସିଡ୍‌ ସ୍କୁଲ ଖୋଲିଛନ୍ତି। ସେଠାରେ କିଭଳି ବିହନ ସଂରକ୍ଷିତ ରଖାଯିବ, ସେ ସମ୍ପର୍କରେ ଚାଷୀମାନଙ୍କୁ ଶିକ୍ଷା ଦେଉଛନ୍ତି।