ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ପ୍ରଭାବ ଓ କୃଷି କ୍ଷେତ୍ରରେ କୀଟନାଶକର ବହୁଳ ବ୍ୟବହାର ଯୋଗୁ ପ୍ରଜାପତି ବଂଶ ଲୋପପାଇବାରେ ଲାଗିଛି। ବିଭିନ୍ନ ପାର୍କ କିମ୍ବା ବଗିଚାରେ ଏମାନଙ୍କୁ କ୍ୱଚିତ ଦେଖିବାକୁ ମିଳୁଛି। ପ୍ରଜାପତିଙ୍କ ସୁରକ୍ଷା ପାଇଁ ସେଭଳି କିଛି ବ୍ୟବସ୍ଥା ଦେଖିବାକୁ ମିଳୁ ନ ଥିବାବେଳେ ବ୍ୟକ୍ତିଗତ ସ୍ତରରେ ପ୍ରିୟଙ୍କା ସିଂଙ୍କ ପ୍ରୟାସ ଉଲ୍ଲେଖନୀୟ। ପ୍ରିୟଙ୍କାଙ୍କ ଜନ୍ମ ବାରାଣସୀରେ। ରହୁଛନ୍ତି ମୁମ୍ବାଇର ଏକ ଆପାର୍ଟମେଣ୍ଟର ୧୩ ମହଲାରେ । ସେ ତାଙ୍କ ଘର ବାଲକୋନିରେ ବଗିଚାଟିଏ କରିଛନ୍ତି। ଏହାକୁ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ କରାଯାଇଛି। ବାଲକୋନିରେ ବହୁ କିସମର ଗଛ ଲଗାଇ ତାହାକୁ ଏଭଳି ଆକର୍ଷଣୀୟ କରିଛନ୍ତି ଯେ ତାହା ଏବେ ୫,୦୦୦ରୁ ଅଧିକ ପ୍ରଜାପତିଙ୍କ ସ୍ବର୍ଗ ପାଲଟିଯାଇଛି। କମନ ଜୟ, କମନ କ୍ରୋ ଓ କମନ ଟାଇଗର ଆଦି ବିରଳ ପ୍ରଜାତିର ପ୍ରଜାପତି ଏହି ବଗିଚାରେ ରହିଛନ୍ତି। ଘରକୁ ଏତେସଂଖ୍ୟକ ପ୍ରଜାପତିଙ୍କୁ ଆକର୍ଷିତ କରିପାରିଥିବାରୁ ପ୍ରିୟଙ୍କାଙ୍କୁ ‘ବଟରଫ୍ଲାଏ ମମି’ ବୋଲି ଲୋକେ ସମ୍ବୋଧନ କରୁଛନ୍ତି। ସେ ୧୦ ବର୍ଷ ହେଲା ପ୍ରଜାପତିଙ୍କୁ ଆକର୍ଷିତ କରି ସେମାନଙ୍କ ସଂଖ୍ୟା ବଢ଼ାଇବାରେ ଲାଗିଛନ୍ତି।